ଭିଜିଲାନ୍ସ ଜାଲରେ BEO ଅଫିସର କନିଷ୍ଠ ସହାୟକ: ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ 

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ BEO ଅଫିସର କନିଷ୍ଠ ସହାୟକ । ମୟୂରଭଞ୍ଜ ବଡ଼ସାହି BEO ଅଫିସର କନିଷ୍ଠ ସହାୟକ ବିକ୍ରମ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ବାଲେଶ୍ବର ଭିଜିଲାନ୍ସ ଟିମ୍ । ଧରାପଡ଼ିବା ପରେ ବାରିପଦାର ସରକାରୀ କ୍ବାର୍ଟର୍ସ, ବଡ଼ସାହି କାର୍ଯ୍ୟାଳୟ ଏବଂ ଛେଳିଆରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

ସୂଚନା ଅନୁସାରେ, ମୟୁରଭଞ୍ଜ ବଡ଼ସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସର କିରାଣୀ ବିକ୍ରମ ବେହେରା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜପତ୍ର କରାଇଦେବାକୁ କହି ତାଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ବାରିପଦା ଭିଜିଲାନ୍ସ ଟିମ୍ । ବିସିକେଶନ ଗୋଛାୟତ ନାମକ ଅବସରପ୍ରାପ୍ତ ଶିକ୍ଷକ ବଡ଼ସାହି ବ୍ଲକ୍ ର ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ , ୨୦୧୭ ରେ ଅବସର ଗ୍ରହଣ କରିଥିଲେ । କିନ୍ତୁ ୫ ବର୍ଷ ବିତିଯାଇଥିଲେ ବି ତାଙ୍କର ପେନସନ ମିଳିପାରୁନାହିଁ, ଆଉ ପେନସନ କରାଇଦେବାକୁ କହି ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସର କିରାଣୀ  ବିକ୍ରମ ବେହେରା ତାଙ୍କୁ  ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଜଣକ ଏବଂ ପୂର୍ବ ଯୋଜନା ମୁତାବକ ଶୁକ୍ରବାର କିରାଣୀ ବିକ୍ରମ ବେହେରା ଶ୍ରୀଯୁକ୍ତ ଗୋଛାୟତଙ୍କ ହାତରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିସିଥିଲା।