ଭଦ୍ରକ,୧୫/୪ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁରେ ଗତକାଲି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳିବା ସହ ୧୦ଜଣ ଗୁରୁତର ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ଅଘଟଣ ଘଟିଥିଲା । ତଦନ୍ତ ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେଣେ ଘଟଣା ସଂପର୍କରେ ସୂଚନା ପାଇ ଭଦ୍ରକ ଜିଲ୍ଲାପାଳ, ଏସପି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀ ଭଦ୍ରକ ମେଡିକାଲରେ ପହଞ୍ଚିଥିଲେ । ବିନା ଅନୁମତିରେ ଡିଜେ ବାଜୁଥିବା ବେଳେ ତିହିଡି ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ , ଯାହାଫଳରେ ଏତେ ବଡ଼ ଅଘଟଣ ଘଟିଲା ବୋଲି ପ୍ରଶ୍ନ ଉଠିଛି ।
ସୂଚନାଯୋଗ୍ୟ, ବଡ଼ହାଟୁଆରି ଗାଁ’ରେ ବିଷୁବ ସଂକ୍ରାନ୍ତି ଅବସରରେ ଆଜି ମା’ କଣ୍ଟି ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳନ ହେଉଥିଲା ।ସନ୍ଧ୍ୟାରେ ପାଟୁଆ ନାଚ ବେଳେ ଅଘଟଣ ଘଟିଥିଲା । ଡିଜେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ପ୍ରାଣ ବିକଳରେ ସମସ୍ତେ ଧାଁଧପଡ଼ କରିଥିଲେ । ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳି ଯାଇଥଇଲେ। ସେମାନେ ହେଲେ ହାଟୁଆରି ଗ୍ରାମର ମାନସ ମଲ୍ଲିକ (୨୦) ଓ ଆରସା ଗ୍ରାମର ଶରତ ଓରଫ୍ କାହ୍ନୁଆ ମହାଳିକ (୨୭)। ଏହି ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।