ଭାରତ ବନ୍ଦ ଡାକରାକୁ ଆଇନଜୀବୀ ସଂଘର ସମର୍ଥନ : ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବୀ

ଭୁବନେଶ୍ୱର,୭ /୧୨: (ପ୍ରଦୀପ୍ତ କୁମାର ଦାସ) – କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ଗୃହୀତ ନୂତନ କୃଷି ଆଇନକୁ ବାତିଲ କରିବା ଲାଗି ଦିଲ୍ଲୀ ଓ ସାରାଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ଇଣ୍ଡିଆନ ଆସୋସିଏସନ ଅଫ ଲୟର୍ସ, ଅଲ ଇଣ୍ଡିଆ ଲୟର୍ସ ଇଉନିୟନ ଏବଂ ପ୍ରୋଗ୍ରେସିଭ ଲୟର୍ସ ଆସୋସିଏସନ ଓଡିଶା ଶାଖା ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯିବା ସହ ମଙ୍ଗଳ ବାର ତଥା ଆଠ ତାରିଖରେ ଭାରତ ବନ୍ଦ ଡାକରାକୁ ମଧ୍ୟ ସମର୍ଥନ ଘୋଷଣା କରାଯାଇଛି । ଏକ ମିଳିତ ବିବୃତି ଜରିଆରେ ଉକ୍ତ ସଂଗଠନ ପକ୍ଷରୁ କୁହାଯାଇଛିଯେ କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ଏବଂ କୃଷି ଉତ୍ପାଦନ ସମ୍ପର୍କିତ ଯେଉଁ ଆଇନ ଆଣିଛନ୍ତି,ତାହା ସମ୍ପୂର୍ଣ ରୂପେ ଜନବିରୋଧୀ ଓ କୃଷକ ବିରୋଧୀ ।ଏହି ଆଇନ ବଳରେ ବୃହତ ପୁଞ୍ଜିପତି ଗୋଷ୍ଠୀ କୃଷିକ୍ଷେତ୍ରକୁ ଏବଂ କୃଷି ଉତ୍ପାଦକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିପାରିବେ.ଏହାଦ୍ୱାରା ମଂଡୀ ବ୍ୟବସ୍ଥା ପୂର୍ବଭଳି ଚାଲିପାରିବ ନାହିଁ । ଦରଦାମ ନିୟନ୍ତ୍ରଣ କ୍ଷମତା ମଧ୍ୟ ପୁଞ୍ଜିପତି ଗୋଷ୍ଠୀ ହାତକୁ ଚାଲିଯିବ ।

ଉକ୍ତ କୃଷି ଆଇନ ପ୍ରଣୟନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବସାଧାରଣରେ ବ୍ୟାପକ ଭାବେ ଚର୍ଚ୍ଚା କିମ୍ବା ଆଲୋଚନା କରାଯାଇନାହିଁ କିମ୍ବା ଜନସାଧାରଣଙ୍କର ବିସ୍ତୃତ ମତାମତ ମଧ୍ୟ ଗ୍ରହଣ କରାଯାଇନାହିଁ । ତେଣୁ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦେଶର ବହୁ ଆଇନଜୀବୀ ସଂଘ ଓ ରାଜ୍ୟର ବିଭିର୍ନ ଆଇନଜୀବୀ ପରିଷଦ ମାନେ ଦାବୀ କରିଛନ୍ତି । ଏଣୁ କେନ୍ଦ୍ର ସରକାର ଏହି ଜନବିରୋଧୀ ଓ କୃଷକ ବିରୋଧୀ ଆଇନକୁ ସାଧାରଣ ଜନତା ଓ କୃଷକ ମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅବିଳମ୍ବେ ପ୍ରତ୍ୟାହାର କରିବା ଲାଗି ଉପରୋକ୍ତ ଆଇନଜୀବୀ ସଂଘ ଗୁଡିକ ପକ୍ଷରୁ ବରିଷ୍ଠ ଆଇନଜୀବି କ୍ଷୀରୋଦ ରାଉତ,ଡା ପ୍ରଶାନ୍ତ ମିଶ୍ର ଓ ଦୀପକ ମହାପାତ୍ର ପ୍ରମୁଖ ଦାବୀ ଉପସ୍ଥାପନ କରିଛନ୍ତି ।