ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ୱର, ୧୨/୦୨ : ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା। ବିଭିନ୍ନ ଦାବି ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡେରେସନ୍‌ ପକ୍ଷରୁ ଏହି ଧର୍ମଘଟ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଥିବାରୁ ଜନଜୀବନ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ବନ୍ଦକୁ କଂଗ୍ରେସ ଏବଂ ବିଜୁ ଶ୍ରମିକ ସାମ୍ମୁଖ୍ୟ (ବିଜେଡି) ନୈତିକ ସମର୍ଥନ ଜଣାଇଛନ୍ତି। କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମିଳିତ ମଞ୍ଚ ପକ୍ଷରୁ ସାଧାରଣ ଜନତାଙ୍କୁ ବନ୍ଦ ସଫଳ କରିବା ପାଇଁ ନିବେଦନ କରାଯାଇଛି। ବିଭିନ୍ନ ସ୍ଥାନରେ ରେଳ ରୋକ, ପିକେଟିଂ ଓ ବିକ୍ଷୋଭ ପ୍ରଦର୍ଶନ ଯୋଜନା ରହିଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇପାରେ। ବ୍ୟାଙ୍କ ସେବା ଓ ପେଟ୍ରୋଲ୍ ପମ୍ପ ବନ୍ଦ ରହିବା ସମ୍ଭାବନା ଅଛି। ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ଶିକ୍ଷାନୁଷ୍ଠାନ ବନ୍ଦ ରହିପାରେ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି। ସମସ୍ତ କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ଅଫିସ୍‌ରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକାଳ ୧୦ଟା ୧୫ ମିନିଟ୍‌ରେ ଲୋକସେବା ଭବନର ମୁଖ୍ୟ ଗେଟ୍ ବନ୍ଦ କରିଦିଆଯିବ।