ନୂଆଦିଲ୍ଲୀ,୨୪/୧୨: ଦିଲ୍ଲୀରେ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ଆଜି ସକାଳ ପ୍ରାୟ ୬ଟାରେ ବଦରପୁର ସୀମାରେ କଂଗ୍ରେସର ରାହୁଲ ଗାନ୍ଧୀ ପ୍ରବେଶ କରିଥିଲେ । ପ୍ରାୟ ୧ ଘଣ୍ଟା ୪୦ ମିନିଟ ଧରି ୮ କିଲୋମିଟର ଯାତ୍ରା କରିଥିଲେ ରାହୁଲ ଗାନ୍ଧୀ । ପରେ ପରେ ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ବିଶ୍ରାମ ପାଇଁ ରହିଥିଲେ । ପୁଣି ଦିନ ସାଢ଼େ ୧ଟାରୁ ‘ଭାରତ ଯୋଡ଼’ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଅପରାହ୍ଣ ୪ଟା ଯାଏଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଯାତ୍ରା କରିବେ ରାହୁଲ ଗାନ୍ଧୀ ଓ କଂଗ୍ରେସର ବହୁ ବରିଷ୍ଠ ନେତା । କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଏହି ‘ଭାରତ ଯୋଡ଼’ ଯାତ୍ରା କରୁଛି କଂଗ୍ରେସ । ଦିଲ୍ଲୀର ନିଜାମୁଦ୍ଦିନ, ଆଇଟିଓ ଛକ, ରାଜଘାଟରେ ଆଜି କଂଗ୍ରେସ ଭାରତ ଯୋଡ଼ ଯାତ୍ରା କରିବ । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, କଳାକାର, କ୍ରୀଡ଼ାବିତ୍, ଯୁବକମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏଥିପାଇଁ ମଧ୍ୟ ହଜାର ହଜାର ଟ୍ରାଭେଲ ପାସ୍ ଜାରି କରାଯାଇଛି । ଦିଲ୍ଲୀରେ ଭାରତ ଯୋଡ଼ ଯାତ୍ରା ଯୋଗୁଁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ ହେବାର ସମ୍ଭାବନା ରହିଛି । ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି ।
