ଭୁବନେଶ୍ୱରର ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ‘ଭାରତ ସଂସ୍କୃତି ଯାତ୍ରା’
ଭୁବନେଶ୍ୱର,୨୧/୪ : କୋଲକତାର ହିନ୍ଦୁସ୍ତାନ ଆର୍ଟ ଆଣ୍ଡ ମ୍ୟୁଜିକ୍ ସୋସାଇଟି ଏବଂ ଭୁବନେଶ୍ୱରର ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ‘ଭାରତ ସଂସ୍କୃତି ଯାତ୍ରା’ ଏକ ସୁନ୍ଦର ଓ ଭବ୍ୟ ସମ୍ବର୍ଦ୍ଧନାରେ ଭୁବନେଶ୍ୱରର ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଅଡ଼ିଟୋରିୟମ୍ରେ ଉଦ୍ଘାଟିତ ହୋଇଯାଇଛି । ଏହି ନୃତ୍ୟ ଓ ସଙ୍ଗୀତ
କାର୍ଯ୍ୟକ୍ରମ ଆସନ୍ତା କାଲି ମଧ୍ୟ ସଂଧ୍ୟା ୬.୩୦ ଘଟିକାରେ ଅନୁଷ୍ଠିତ ହେବ । ଏହି ଉତ୍ସବ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୃତ୍ୟ ଏବଂ ସଙ୍ଗୀତରେ ଭାରତୀୟ ଶାସ୍ତ୍ରୀୟ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ତାକୁ ଦେଶ ଓ ଦେଶ ବାହାରେ ପ୍ରଚାର ଓ ପ୍ରସାର କରିବା । ଏହି ଉତ୍ସବଟିକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଉପସ୍ଥିତି ଯୋଜନା ଅଧୀନରେ ସମର୍ଥନ କରାଯାଇଛି ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଉପସ୍ଥାପନ କରାଯାଉଅଛି ।
ଉଦ୍ଘାଟନୀ ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱରର ପୂର୍ବତନ ସାଂସଦ ଡ଼କ୍ଟର (ପ୍ରଫେସର) ପ୍ରସନ୍ନ କୁମାର ପାଟ୍ଟଶାଣୀ; ଗୃହ ମନ୍ତ୍ରଣାଳୟର ପୂର୍ବତନ ସ୍ୱତନ୍ତ୍ର ସଚିବ ଏବଂ ଆର୍ଥିକ ପରାମର୍ଶଦାତା ସୁରେଶ ଚନ୍ଦ୍ର ପଣ୍ଡା; ରୋଏଲ କଲେଜ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲଜିର ବିଷ୍ଣୁ ଚରଣ ମହାନ୍ତି; ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧକ୍ଷ ଗୁରୁ ଡ଼କ୍ଟର ବିଜୟ କୁମାର ଜେନା; ଓଡ଼ିଆ ସିନେମା ସମିକ୍ଷକ ଦିଲୀପ ହାଲି; ହିନ୍ଦୁସ୍ତାନ ଆର୍ଟ ଆଣ୍ଡ ମ୍ୟୁଜିକ୍ ସୋସାଇଟିର ସଚିବ ପ୍ରଶ୍ନଜିତ୍ ପୋଦ୍ଦାର ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା । ସନ୍ଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ଗୁରୁ ଦୁର୍ଗାଚରଣ ରଣବୀରଙ୍କ ଦ୍ୱାରା ପ୍ରତିଷ୍ଠିତ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ । ସେମାନଙ୍କ ପ୍ରସ୍ତୁତିରେ ଥିଲା ଦେବୀସ୍ତୁତି ବିଘ୍ନ ଗିରି ବାସିନୀ ପରେ ପରେ ଗୁରୁ (ଡ଼କ୍ଟର) ବିଜୟ କୁମାର ଜେନାଙ୍କ ଦ୍ୱାରା ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ସେ ପ୍ରଥମ ପର୍ଯ୍ୟାୟରେ ରାଗାଙ୍ଗ ଯାହା ରାଗ ବିହାଗ ଓ ତାଳ ଯତି ଉପରେ ନିବଦ୍ଧ ପ୍ରବନ୍ଧ ପ୍ରାଣ ଧନ ପ୍ରାଣ ରଖ ଧରୁଛି ତ ପାଣି କି ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦରୁ ଉଦ୍ଧୃତ ଧୀର ସମିରେ ଜମୁନା ତୀରେ ଗାୟନ କରିଥିଲେ । ତାଙ୍କୁ ମର୍ଦ୍ଦଳରେ ଗୁରୁ ସଚ୍ଚିଦାନନ୍ଦ ଦାସ, ବଂଶୀରେ ଗୁରୁ ଜବାହାର ମିଶ୍ର, ହାରମୋନିୟମ୍ରେ ବାଳକୃଷ୍ଣ ଜେନା ଓ ତାନପୁରାରେ ଚନ୍ଦ୍ର ଶେଖର ବିଶ୍ୱାଳ ସହଯୋଗ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଶରଦ୍ ବାଦନ ଯାହାକୁ ପରିବେଷଣ କରିଥିଲେ ଅର୍ଣ୍ଣବ ଭଟ୍ଟାଚାର୍ଯ୍ୟ ପରେ ପରେ ପରିବେଷିତ ହୋଇଥିଲା ଗୁରୁ (ଡ଼କ୍ଟର) ଗଜେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ ଜୟରାମ । ଶେଷରେ ଗୁରୁ ଚିତ୍ରଶେନ୍ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ ଆରାଧନା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ପରିବେଷିତ ହୋଇଥିଲା । ହିନ୍ଦୁସ୍ତାନ ଆର୍ଟ ଆଣ୍ଡ ମ୍ୟୁଜିକ୍ ସୋସାଇଟିର ସଚିବ ପ୍ରଶ୍ନଜିତ୍ ପୋଦ୍ଦାର ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଏହି ଉତ୍ସବଟିର ପରିକଳ୍ପନା ଓ ଉପସ୍ଥାପନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଶୋମା ମହାପାତ୍ର ।