ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମସାର୍)ରେ ମେଡିକାଲ ଶଯ୍ୟାସଂଖ୍ୟା ୧୪୮୪ରୁ ୨୬୫୦କୁ ବୃଦ୍ଧି କରାଯିବ। ଏଥିପାଇଁ ୧୬୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନିକଟରେ ‘ସେବା ପର୍ବ -୨୦୨୫’ ଅବସରରେ ଯୋଗ ଦେଇ ଝାରସୁଗୁଡ଼ାଠାରେ ଭିମ୍ସାର୍କୁ ବିଶ୍ୱସ୍ତରୀୟ ସୁପର ସ୍ପେସାଲିଟି ଚିକିତ୍ସାଳୟରେ ରୂପାନ୍ତରଣ କରିବା ପାଇଁ ଘୋଷଣା କରିଥିଲେ। ଉପରୋକ୍ତ ନିଷ୍ପତ୍ତି ଏହି ଘୋଷଣାର ଅଂଶ ବିଶେଷ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେବେଇପାଲିଠାରେ ଧନକଉଡ଼ା ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଭିତ୍ତିପ୍ରସ୍ତର ସ୍ଥାପନ ତଥା ନୂଆ ଗୋଷ୍ଠୀ ଜନସ୍ବାସ୍ଥ୍ୟ କେନ୍ଦ୍ରର ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ ତଥା ପ୍ରତ୍ୟେକ ବ୍ୟକ୍ତିର ଅଧିକାର।
