ଆବର୍ଜନାରେ ତିଆରି ହେଲା ବୀଣା । ଯାହାକୁ ଆପଣ ଆବର୍ଜନା ଭାବି ଫୋଫାଡ଼ିଦେଇଥିଲେ ସେଥିରେ ପ୍ରସ୍ତୁତ ହୋଇଛି ବୀଣା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ୍ୟ । ବାସ୍ତବରେ ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଏକ ବିଶାଳ ବୀଣା ତିଆରି କରାଯାଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଉଛି ଯେ ଏହା ହେଉଛି ବିଶ୍ୱର ସବୁଠାରୁ ବଡ ବୀଣା । ଏହି ବୀଣା ତିଆରିରେ ୧୨ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ ତିଆରି କରିବାକୁ ୪୮୦ ଘଣ୍ଟା ସମୟ ଲାଗିଛି ।
ବାସ୍ତବରେ ପୱନ ଦେଶପାଣ୍ଡେ ଏବଂ ଦେବେନ୍ଦ୍ର ଶାକ୍ୟଙ୍କ ଦଳ ଏହି ବୀଣାକୁ ନିର୍ମାଣ କରିଛନ୍ତି । ଆବର୍ଜନାରେ ନିର୍ମିତ ଏହି ବୀଣାର ଲମ୍ବ ୨୮ ଫୁଟ, ଉଚ୍ଚତା ୧୨ ଫୁଟ ଏବଂ ଚଉଡା ୧୦ ଫୁଟ ରହିଛି । ଏହାର ଓଜନ ପାଞ୍ଚ ଟନ୍ ହୋଇଥିବାବେଳେ ଗାଡିର ବିଭିନ୍ନ ଅବ୍ୟବହୃତ ଅଂଶ ଯଥା ଚେନ୍, ଗିଅ,ର୍ ବିୟରିଂ ଏବଂ ତାର ଇତ୍ୟାଦିକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ବୀଣା ରାଜଧାନୀ ଭୋପାଳରେ ଏପରି ଏକ ସ୍ଥାନରେ ସ୍ଥାପିତ ହେବ ଯେଉଁଠାରେ ଲୋକମାନେ ସେଲଫି ନେଇପାରିବେ ।
ପୱନ ଦେଶପାଣ୍ଡେ ଏବଂ ଦେବେନ୍ଦ୍ର ଶାକ୍ୟଙ୍କ କହିବା ଅନୁଯାୟୀ, ଏହି ବୀଣାକୁ ତିଆରି କରିବା ପାଇଁ ସେମାନଙ୍କ ବ୍ୟତୀତ ଦଶ ଜଣ କାରିଗର କାମ କରୁଥିଲେ । ଚାରିମାସ ଧରି ବିଭିନ୍ନ ଗ୍ୟାରେଜରୁ ଅବ୍ୟବହୃତ ସାମଗ୍ରୀ ସଂଗ୍ରହ ହୋଇଥିବାବେଳେ ଏହାର ନିର୍ମାଣ ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ଷାଠିଏ ଦିନରେ ପ୍ରତିଦିନ ପ୍ରାୟ ଆଠ ଘଣ୍ଟା ଧରି ଏହି ବୀଣା ନିର୍ମାଣ କାର୍ଯ୍ୟ କରାଯାଇଥିଲା । ଉଲ୍ଲେଖ ଥାଉ କି ଏହି ବୀଣା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।