ରାଉରକେଲା : ଏଥର ଜମି ଚିହ୍ନଟୀକରଣ ସହଜ ଓ ନିଭୁର୍ଲ ହେବ। କାରଣ, ତ୍ରୁଟିଶୂନ୍ୟଭାବେ ପ୍ରକୃତ ସମୟରେ ଜମି ଚିହ୍ନଟ କରିବ ସ୍ବୟଂଚାଳିତ ଡ୍ରୋନ୍ ‘ଭୂୂ-ମାନଚିତ୍ର’। ଏହାକୁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ଗବେଷକ ଦଳ ବିକଶିତ କରିଛନ୍ତି। ଏହା ପାରମ୍ପରିକ ମଡେଲ୍ଠାରୁ ଭିନ୍ନ। ଏହି ଡ୍ରୋନ୍ ପ୍ରକୃତ ସମୟରେ ଭୂମି ବୈଶିଷ୍ଟ୍ୟ, ଯଥା- ଚାଷଜମି, ଜଙ୍ଗଲ, ଉଦ୍ଭିଦ ଓ ସହରାଞ୍ଚଳ ଇତ୍ୟାଦି ଚିହ୍ନଟ କରିବାରେ ସକ୍ଷମ। ଏହାକୁ ସହରୀ ଯୋଜନା, ବିପର୍ଯ୍ୟୟ ପରିଚାଳନା, ପ୍ରାକୃତିକ ସମ୍ବଳ ପରିଚାଳନା ଓ କୃଷି ଭୂମି ସର୍ଭେ ସମୟରେ ବ୍ୟବହାର କରାଯାଇପାରିବ। ଏହା ହେଉଛି ଦେଶରେ ପ୍ରଥମ। ଏହି ବିକଶିତ ମଡେଲ୍କୁ ପେଟେଣ୍ଟ୍ ମଧ୍ୟ ମିଳିସାରିଛି।
ବିକଶିତ ବ୍ୟବସ୍ଥା ଇଣ୍ଟରନେଟ୍ ସଂଯୋଗ, ବାହ୍ୟ କମ୍ପ୍ୟୁଟର୍ କିମ୍ବା ମାନୁଆଲ୍ ହସ୍ତକ୍ଷେପ ବିନା ସ୍ୱୟଂଚାଳିତ ଭାବେ କୁତ୍ରମ ବୁଦ୍ଧିମତା ଓ ମାନବବିହୀନ ବାୟୁଯାନ (ୟୁଏଭି) ତଥା ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାରକରି ଭୂମି ମାନଚିତ୍ର ସୃଷ୍ଟି କରିବ। ଅନୁଷ୍ଠାନର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ସମ୍ବିତ ବକ୍ସିଙ୍କ ନେତୃତ୍ୱରେ ରିସର୍ଚ୍ଚ୍ ଗ୍ରାଜୁଏଟ୍ ଡ. ତନ୍ମୟ ବେହେରା, ଡ. ଦେବବ୍ରତ ପାଲ ଚୌଧୁରୀ ଓ ରିସର୍ଚ୍ଚ ସ୍କୋଲାର୍ କାମେଲିଆ ରାୟଙ୍କୁ ନେଇ ଗଠିତ ଦଳ ଏହାକୁ ବିକଶିତ କରିଛନ୍ତି।