ଭୁବନେଶ୍ୱର,୧୫/୧ : ଭୁବନେଶ୍ବର ବିମାନବନ୍ଦର ଏବେ ସୁନା ଓ ନିଶା ମାଫିଆଙ୍କ ପ୍ରବେଶ ଦ୍ବାର । କେତେବେଳେ କାର୍ଗୋରୁ ମାରିଜୁଆନା ତ କେତେବେଳେ ଯାତ୍ରୀଙ୍କ ମଳଦ୍ବାରରୁ ସୁନା। ଗତ ୪ବର୍ଷ ମଧ୍ୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚବେଳେ ୧୧୦ କେଜି ସୁନା ଜବତ ହେଲାଣି, ଯାହରା ମୂଲ୍ୟ ଆନୁମାନିକ ୧୫୦କୋଟି। କେବଳ ସୁନା ନୁହେଁ ୫ କୋଟିର (୨କୁଇଣ୍ଟାଲ୍) ରୁପା ଓ ୮୦କୋଟିର (୮୦କେଜି) ମାରିଜୁଆନା ଜବତ ହୋଇଛି। ଏହାଛଡ଼ା ଏଠାରୁ ପଶୁପକ୍ଷୀଙ୍କ ନଖ, ଛାଲ, ଶିଙ୍ଗ ମଧ୍ୟ ବିଦେଶକୁ ଚାଲାଣ ହେଉଛି। ମେଟାଲ୍ ଡିଟେକ୍ଟର, ସ୍କାନର୍ ସହିତ ବହୁଥାକିଆ ଯାଞ୍ଚ ପ୍ରକ୍ରିୟା ସତ୍ତ୍ବେ ମାଫିଆ ଚକ୍ମା ଦେଇ ଖସିଯାଉଛନ୍ତି।
ଚଳିତ ବର୍ଷ ଆରମ୍ଭରୁ ପ୍ରାୟ ୮ କୋଟିର ୮ କେଜି ମାରିଜୁଆନା ଜବତ ହୋଇଛି। ୨୦୨୫ରେ ୭ଥରରେ ୭୨ କୋଟିର ମାରିଜୁଆନା ଜବତ ହୋଇଥିଲା। ୨୦୨୫ ମସିହା ଜାନୁଆରି ୭ରେ ସୀମାଶୁଳ୍କ ବିଭାଗ ପଶ୍ଚିମବଙ୍ଗର ଦୁଇ ମହିଳାଙ୍କଠାରୁ ୧୦ କୋଟିର ୯ କେଜି ୫୨୪ ଗ୍ରାମର ମାରିଜୁଆନା ଜବତ କରିଥିଲା। ଏହାର ସପ୍ତାହକ ପରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ) ଓ ସୀମାଶୁଳ୍କ ବିଭାଗ ଜଣେ କେରଳୀଙ୍କଠାରୁ ବିସ୍କୁଟ ପ୍ୟାକେଟ୍ରେ ଆଣୁଥିବା ୪କେଜି ମାରିଜୁଆନା ଜବତ କରିଥିଲେ। ପରବର୍ତ୍ତୀ ଘଟଣାରେ ଜଣେ ଯୁବକବ୍ୟାଙ୍କକ୍ରୁ ଆଣୁଥିବା ୭କୋଟିର ମାରିଜୁଆନା ଜବତ ହୋଇଥିଲା। ଅକ୍ଟୋବର ୪ ତାରିଖରେ ୩କୋଟି, ଅଗଷ୍ଟ୨୩ରେ ୪କୋଟି, ଅଗଷ୍ଟ ୩ ଜାରିଖରେ ୮କୋଟି, ଜୁଲାଇ ୨୯ରେ ସର୍ବାଧିକ ୩୦ କୋଟିର ମାରିଜୁଆନା ଜବତ ହୋଇଥିଲା।
ସେଭଳି ୨୦୨୪ ଅଗଷ୍ଟ ୨୮ରେ ସିଟି ଆଣ୍ଡ ଜିଏସ୍ଟି ବିଭାଗ ଚଢ଼ଉ କରି ଭୁବନେଶ୍ବର ବିମାନବନ୍ଦରରୁ ୮୭ କେଜି ସୁନା ଓ ୨୦୦ କେଜି ରୁପା ଜବତ କରିଥିଲା, ଯାହାର ମୂଲ୍ୟ ୧୦୦ କୋଟିରୁ ଊର୍ଦ୍ଧ୍ବ ହେବ। ମୁମ୍ବାଇରୁ ଭୁବନେଶ୍ବରକୁ ଦୁଇଟି ବିମାନରେ ସୁନା ଆସୁଥିବା ନେଇ ଜିଏସ୍ଟି ଅଧିକାରୀମାନେ ସୂଚନା ପାଇଥିଲେ। ବିମାନବନ୍ଦର ବାହାରେ ବିଭିସି ଲଜିଷ୍ଟିକ୍ସ ଓ ନିୟୁଜ୍ ଏୟାର ସର୍ଭିସ ଲଜିଷ୍ଟିକ୍ସର ଦୁଇଟି ଗାଡ଼ିରେ ୧୦ଟି ଟ୍ରଙ୍କ୍ରେ ଏହି ସୁନା ଓ ରୁପା ଚାଲାଣ ହେଉଥିବା ବେଳେ ଚଢ଼ଉ କରି ଜବତ କରାଯାଇଥିଲା। ୮ମେ’ରେ ଦୁବାଇରୁ ଭୁବନେଶ୍ବର ଆସିଥିବା ୪ଜଣ ଯାତ୍ରୀଙ୍କ ମଳଦ୍ବାରରୁ ୧୨ଟି କ୍ୟାପ୍ସୁଲ୍ରେ ଲୁକ୍କାୟିତ ଭାବେ ଅଣାଯାଉଥିବା ୪କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୩.୭୭ ଗ୍ରାମର ତରଳା ସୁନା କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀ ଜବତ କରିଥିଲେ। ଏପ୍ରିଲ୍ ୧୯ରେ ମୁମ୍ବାଇ ଚାଲାଣ ବେଳେ ଆୟକର ବିଭାଗ ଚଢ଼ଉ କରି ଡୋମେଷ୍ଟିକ୍ କାର୍ଗୋ ଟର୍ମିନାଲ୍ରୁ ସାଢ଼େ ୪କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୩.୮କେଜି ସୁନା ଜବତ କରିଥିଲା। ଏପ୍ରିଲ୍ ୧୭ରେ ବ୍ୟାଙ୍କକ୍ରୁ ଭୁବନେଶ୍ବର ଦେଇ ମୁମ୍ବାଇ ଯାଉଥିବା ଜଣେ କୁଖ୍ୟାତ ସ୍ମଗଲର୍ ମଳଦ୍ବାରରୁ ସୀମାଶୁଳ୍କ ବିଭାଗ କେଜିଏ ସୁନା ଜବତ କରିଥିଲା। ଏହାଛଡ଼ା ୨୦୨୩ ୩କେଜି ୫୩ ଗ୍ରାମର ସୁନା, ୨୦୨୨ରେ ୨କେଜି ସୁନା ଏବଂ ୨୦୧୯ରେ ୧୨.୯୩ କେଜି ସୁନା ଜବତ କରାଯାଇଥିଲା।