ପାର୍ବଣ ଆରମ୍ଭ:କଟକରୋଡ଼ ଟ୍ରାଫିକ ଯନ୍ତ୍ରଣା ଅସମ୍ଭାଳ, ଅମାନିଆ ଗାଡ଼ିଚାଳକ ଓ ବ୍ୟବସାୟୀଙ୍କୁ ନାହିଁ ଲଗାମ

ଭୁବନେଶ୍ୱର, ୨୭/୦୯ (ପ୍ରଦୀପ୍ତ କୁମାର ଦାସ) ପାର୍ବଣ ଋତୁ ଆରମ୍ଭ।ଦୁର୍ଗାପୂଜା,ଲକ୍ଷ୍ମୀପୂଜା ପରେ କାଳୀପୂଜା ଧୁମଧାମରେ ପାଳିତ ହେବ।ହେଲେ ଏବେଠୁ ସ୍ଥାନୀୟ କଟକ ରୋଡ଼ରେ ଟ୍ରାଫିକ ଯନ୍ତ୍ରଣା ଅସମ୍ଭାଳ ହେଲାଣି।ବିଶେଷ କରି ଏହି ବ୍ୟସ୍ତବହୁଳ ରାସ୍ତାର ରସୁଲଗଡ଼ ଛକ ଠାରୁ କଳ୍ପନା ଛକ ମଧ୍ୟରେ ନିୟମିତଭାବେ ଅନେକ ସମୟରେ ଟ୍ରାଫିକ ଜାମ ସମସ୍ୟା ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେଉଛି।ଦୈନିକ ସମ୍ପୃକ୍ତ ରାସ୍ତାରେ ଅବାଧ ବେଆଇନ ଗାଡ଼ି ପାର୍କିଙ୍ଗ,ବେପରୁଆ ଭାରୀ ଯାନ ଚାଳନା ସହ କେତେକ ଅସାଧୁ ବ୍ୟବସାୟୀଙ୍କ ରାସ୍ତା ଅବରୋଧ ଓ ଅମାନିଆ ଗାଡ଼ି ଚାଳକଙ୍କ ଉତ୍ସ୍ରୁଙ୍ଖଳତା ସାଧାରଣ ଜନତାଙ୍କ ପାଇଁ ବେଶ ମୁଣ୍ଡବ୍ୟଥାର କାରଣ ହୋଇଛି।ଏଥି ସହ ଅମାନିଆଙ୍କ ଅବୈଧ ରଙ୍ଗ ରୁଟ ଡ୍ରାଇଭିଙ୍ଗ ମଧ୍ୟ ଏପରି ସମସ୍ୟାକୁ ଆହୁରି ଜଟିଳ କରୁଛି।ଏହି ରାସ୍ତାର ରସୁଲଗଡ଼ ଠାରୁ କଳ୍ପନା ଛକ ମଧ୍ୟରେ ବମିଖାଲ,ଝାରପଡ଼ା,ରିଫ୍ୟୁଜି କଲୋନୀ,କଟକ ରୋଡ଼,ପୁରୁଣା ଷ୍ଟେସନ ବଜାର ଓ ବଡ଼ଗଡ଼ ଆଦି ପୂଜା ମଣ୍ଡପରେ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛି।

ସମ୍ପୃକ୍ତ ପୂଜା ମଣ୍ଡପ ସଲଂଗ୍ନ ଓ ନିକଟବର୍ତ୍ତୀ ସଂଯୁକ୍ତ ରାସ୍ତାର କେତେକ ସ୍ଥାନରେ ଅବ୍ୟବସ୍ଥିତ ଭାବେ ନିର୍ମିତ ବିଶାଳ ତୋରଣ ସାଙ୍ଗକୁ ମିନାବଜାରର ପସରା ଯୋଗୁଁ ସର୍ବସାଧାରଣ ଯାତାୟାତ କ୍ଷେତ୍ରରେ ଅବରୋଧ କାରଣରୁ ବାଧା ସୃଷ୍ଟି ହେବାର ଅନୁମାନ କରାଯାଉଛି।ଏହା ଛଡ଼ା ଉକ୍ତ ବ୍ୟସ୍ତବହୁଳ ରାସ୍ତାରେ ବେପରୁଆ ବିପଦ୍ଜନକ ଯାତ୍ରୀବାହି ଭାରୀଯାନ ଚଳାଚଳ,ଉତ୍କଟ ଶବ୍ଦପ୍ରଦୂଷକାରୀ ହର୍ଣ୍ଣ ସହ ବିଶୃଙ୍ଖଳିତ ଅଟୋ ଚାଳନା ଓ ବେଆଇନ ଗାଡ଼ି ପାର୍କିଂ ସମସ୍ୟା ଆହୁରି ଅଧିକ ଚିନ୍ତାର କାରଣ ପାଲଟିଛି।ମାତ୍ର ଭୁବନେଶ୍ୱର ସ୍ମାର୍ଟ ସିଟିରେ ଥିବା ବହୁପୁରାତନ ଓ ବ୍ୟସ୍ତବହୁଳ ସର୍ବସାଧାରଣଙ୍କ ରାସ୍ତା ଭାବେ ଜଣାଶୁଣା କଟକ ରୋଡ଼ରେ ଦୀର୍ଘଦିନ ହେଲା ଉପୁଜିଆସୁଥିବା ଏପରି ସଂଗୀନ ସମସ୍ୟା ପ୍ରତି ସ୍ଥାନୀୟ ପ୍ରଶାସନ ବିମୁଖ ରହିବା ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଏହାର ପ୍ରତିକାର ଓ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଜିଲ୍ଲା ପ୍ରଶାସନ,କମିଶନରେଟ ଟ୍ରାଫିକ ପୋଲିସ,ବିଏମସି,ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ ଏପରି ଏକ ସମ୍ବେଦନଶୀଳ ଜନ ସମସ୍ୟାର ସ୍ଥାୟୀ ସମାଧାନ କ୍ଷେତ୍ରରେ ଉଦାସୀନତା ଦେଖାଇବାନେଇ ବୁଦ୍ଧିଜୀବୀ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ପାର୍ବଣ ଋତୁ ଆରମ୍ଭରୁ ଏହାର ନିରାକରଣ ଦିଗରେ ସମ୍ପୃକ୍ତ ବିଭାଗ ଗୁଡିକ ମିଳିତ ଭାବେ ସମନ୍ୱୟ ରକ୍ଷା କରି ପ୍ରସ୍ତୁତି ଚଳାଇବା ସହ ବିଭିର୍ନ୍ନ ସତର୍କତା ତଥା ପ୍ରତିଷେଧକ ମୂଳକ ପଦକ୍ଷେପ ମାନ ଗ୍ରହଣ କରିବା ନିହାତି ଜରୁରୀ ଆବଶ୍ୟକ ବୋଲି ସହରର ସଚେତନ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଇଛି।ଏହି କ୍ରମରେ ପରିବହନ ବିଭାଗ କମିଶନର କମିଶନର ଅମିତାଭ ଠାକୁରଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ଏକ୍ଷେତ୍ରରେ ମୋଟର ଯାନ ଆଇନ ଉଲ୍ଲଙ୍ଘନକାରୀ ଗାଡ଼ି ଚାଳକଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଥିଲେ।

ତେବେ ଏହି ସମସ୍ୟାର ନିରାକରଣ ନିମନ୍ତେ ବିଏମସି ମେୟର,ଭୁବନେଶ୍ୱର ଏଡିଏମ,ଟ୍ରାଫିକ ଡିସିପି,ଭୁବନେଶ୍ୱର ଆରଟିଓ,ଜୋନାଲ ଏସିପି,ସ୍ଥାନୀୟ ଥାନା ଅଧିକାରୀଙ୍କ ସମେତ କେତେକ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ କିଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା।ତେବେ ଏହିକ୍ରମରେ ଉପରୋକ୍ତ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଇତିମଧ୍ୟରେ ଆବଶ୍ୟକ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି

SBI_Festive_Digital Billboard