କଟକ ରୋଡ଼ରେ ମାଳମାଳ ଗାତ : ବର୍ଷେ ହେଲା ମରାମତି ହେଉନି

ଭୁବନେଶ୍ୱର, ୧୩/୦୪ : (ପ୍ରଦୀପ୍ତ କୁମାର ଦାସ) ସ୍ଥାନୀୟ କଟକରୋଡ଼ର କଳ୍ପନାଛକ ଠାରୁ ଲକ୍ଷ୍ମୀସାଗରଛକ ମଧ୍ୟରେ ଦୀର୍ଘ ବର୍ଷେ ହେଲା ଅନେକ ବଡ଼ ଗର୍ତ୍ତ ଦେଖିବାକୁ ମିଳୁଛି।ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଉକ୍ତ ରାସ୍ତାରେ ଏପରି ସମସ୍ୟା ଦେଖାଦେଇଥିବା କୁହାଯାଉଛି।ତେବେ ପ୍ରାୟ ବର୍ଷେ ତଳେ ଏକ ଠିକା ସଂସ୍ଥା ମନଇଚ୍ଛା ରାସ୍ତା ଖୋଳି କେତେକ ନିର୍ମାଣ କାର୍ଯ୍ୟ କରିଥିଲା।ମାତ୍ର କାର୍ଯ୍ୟ ଶେଷକରିବା ପରେ ତାକୁ ସଠିକ ଭାବେ ମରାମତି ନକରି ଅତି ବେପରୁଆ ଭାବେ ଛାଡ଼ି ପଳାଇବା ଦ୍ୱାରା ସମ୍ପୃକ୍ତ ରାସ୍ତାରେ ଯାତାୟାତ କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜି ଆସୁଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।
କଳ୍ପନା ଛକ ଆଡ଼ୁ ଲକ୍ଷ୍ମୀସାଗର ଛକ ଆଡ଼କୁ ଯାଇଥିବା ଉକ୍ତ ରାସ୍ତାର ବାମ ପାର୍ଶ୍ୱରେ କିଛି କିଛି ଦୂରତା ବ୍ୟବଧାନରେ ଅନେକ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି।ଏହାଛଡ଼ା ଗତ କିଛି ମାସ ହେଲା ପୁରୁଣା ଷ୍ଟେସନ ବଜାର ଟ୍ରାଫିକ ପୋଷ୍ଟ ସଂଲଗ୍ନ ରାସ୍ତା ମଝିରେ ଦୁଇଟି ଗର୍ତ୍ତ ସୃଷ୍ଟି ହୋଇଛି।ବିଶେଷକରି ବର୍ଷା ହେବା ସମୟରେ ଓ ରାତିରେ ଏସବୁ ଗାତ ଜଣା ପଡ଼ୁନଥିବାରୁ ଯାତାୟାତ ବେଳେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ଦୀର୍ଘଦିନ ଧରି ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାଜଧାନୀର ଏହି ପୁରାତନ ବ୍ୟସ୍ତବହୁଳ ରାସ୍ତାରେ ଏପରି ସମସ୍ୟା ଲାଗି ରହିବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ତେବେ ସମ୍ପୃକ୍ତ ରାସ୍ତାର ରକ୍ଷଣାବେକ୍ଷଣ ଓ ମରାମତି ଦାଇତ୍ୱରେ ଥିବା ବିଭାଗୀୟ କ୍ଷେତ୍ର ଅଧିକାରୀ ଓ କର୍ମଚାରୀ ମାନେ ନିୟମିତ ତଦାରଖ କରୁନଥିବାରୁ ଏପରି ବ୍ୟତିକ୍ରମ ସୃଷ୍ଟିହେଉଛି ବୋଲି ଅଭିଯୋଗ ହୋଇଛି।ତେଣୁ ତୁରନ୍ତ ପୂର୍ତ୍ତ ବିଭାଗ କର୍ତୃପକ୍ଷ ଏହାର ଆଶୁ ମରାମତି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବୀ ହୋଇଛି ।