ସମାଜ ଗଠନରେ ଅବଦାନ ପାଇଁ ୧୦ ଶିକ୍ଷକଙ୍କୁ ସମ୍ମାନିତ କଲା ଇନର ହ୍ୱିଲ୍ କ୍ଲବ

ଭୁବନେଶ୍ୱର, ୦୮/୦୯ : ସମାଜ ଗଠନରେ ଶିକ୍ଷକମାନଙ୍କ ଅତୁଳନୀୟ ଅବଦାନ ଓ ନିଷ୍ଠାକୁ ସମ୍ମାନ ଜଣାଇ ଇନର ହ୍ୱିଲ୍ କ୍ଲବ୍ ଅଫ୍ ଭୁବନେଶ୍ୱର ଟେମ୍ପଲ୍ ସିଟି ପକ୍ଷରୁ ୧୦ ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି। ରାଜଭବନ ୟୁପି ସ୍କୁଲ୍ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷକମାନଙ୍କୁ ସମ୍ମାନପତ୍ର ପ୍ରଦାନ କରାଯିବା ସହିତ ଷ୍ଟିଲ୍ ବୋତଲ, ଟିଫିନ୍ ଓ ଜୁଟ୍ ବ୍ୟାଗ୍ ଆଦି ସ୍ମୃତିଚିହ୍ନ ଭାବେ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକମାନେ ନୂତନ ପିଢ଼ିକୁ ଶିକ୍ଷିତ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାରେ ଯେଉଁ ନିଷ୍ଠା ଓ ସମର୍ପଣର ସହ କାର୍ଯ୍ୟ କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି। ଏଭଳି ଜାତି ନିର୍ମାତାଙ୍କୁ ସମ୍ମାନିତ କରିବା ସମାଜର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଛି।