ଭୁବନେଶ୍ବର,୨୪/୪: ତୃତୀୟ ଦିନରେ ଭୁବନେଶ୍ବରରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଜି ଅପରାହ୍ନ ୨ଟା ୩୦ରେ ଭୁବନେଶ୍ବରରେ ରାଜ୍ୟର ସର୍ବୋଚ୍ଚ ୪୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥି ସହିତ ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ହୋଇଛି। ଆଜି ଅପରାହ୍ନ ସାଢ଼େ ୨ଟାରେ ଝାରସୁଗୁଡ଼ାରେ ୪୧.୪, ସମ୍ବଲପୁରର ତାପମାତ୍ରା ୪୦.୮, ଚାନ୍ଦବାଲିରେ ୪୦.୮ ଓ ହୀରାକୁଦ ଓ କେନ୍ଦୁଝର ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି।
ଭୁବନେଶ୍ବରରେ ଗତକାଲି ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ କରାଯାଇଥିଲା। ଶୁକ୍ରବାର ମଧ୍ୟ ଏଠାରେ ୪୦.୮ ଡିଗ୍ରି ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ବରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା।