ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ୍

ଗାନ୍ଧୀନଗର,୧୩/୯: ଆଜି ଗୁଜରାଟର ୧୭ଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ ୫୯ ବର୍ଷିୟ ‘ବିଜେପି’ ନେତା ଭୂପେନ୍ଦ୍ର ପଟେଲ୍। ଗାନ୍ଧୀନଗରରେ ଆୟୋଜନ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆଜି ଅପରାହ୍ଣ ୨.୨୦ ମିନିଟ୍‌ରେ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ଲାଗି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୂପେନ୍ଦ୍ର ପଟେଲ୍‌ଙ୍କୁ ଆମନ୍ତ୍ରଣ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ନବନିଯୁକ୍ତ ନେତା ଭୂପେନ୍ଦ୍ରଭାଇ ପଟେଲ୍‌ ତାଙ୍କ ନେତୃତ୍ବରେ ନୂତନ ସରକାର ଗଠନ କରିବା ଲାଗି ରାଜଭବନରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ତାଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ, ୨୦୨୧ ସେପ୍ଟେମ୍ବର ୧୩ ତାରିଖ ଅପରାହ୍ଣ ୨.୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି। ରବିବାର ଦିନ ପଟେଲ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ‘ବିଜେପି’ ନେତୃବୃନ୍ଦଙ୍କର ପ୍ରତିନିଧି ଦଳଙ୍କ ସହ ଗାନ୍ଧୀନଗରସ୍ଥିତ ରାଜଭବନ ଯାଇ ‌ରାଜ୍ୟପାଳ ଦେବବ୍ରତଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ସମର୍ଥକଙ୍କଦ୍ବାରା ‘ଦାଦା’ ବୋଲି ସମ୍ବୋଧିତ ଭୂପେନ୍ଦ୍ରଭାଇ ରଜନୀକାନ୍ତଭାଇ ପଟେଲ୍‌ଙ୍କର ପଟିଦାର ସମ୍ପ୍ରଦାୟ ଉପରେ ବେଶ୍‌ ପ୍ରଭାବ ରହିଛି ବୋଲି ମନେହୁଏ। ଅହମଦାବାଦରେ ଜନ୍ମିତ ସମ୍ପ୍ରତି ଭୂପେନ୍ଦ୍ର ଘାଟଲୋଡ଼ିୟା ଆସନର ବିଧାୟକ ଅଛନ୍ତି। ସେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ ପଟେଲ୍‌ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଘନିଷ୍ଠରୂପେ ସୁପରିଚିତ। ୨୦୧୭ରେ ସେ କଂଗ୍ରେସ ପ୍ରାର୍ଥୀ ଶଶୀକାନ୍ତ ପଟେଲ୍‌ଙ୍କୁ ଭୋଟ୍‌ରେ ପରାସ୍ତ କରିଥିଲେ। ଅମିତ ଶାହ ପ୍ରତିନିଧିତ୍ବ କରୁଥିବା ଗାନ୍ଧୀନଗର ଲୋକସଭା ଆସନର ଅଂଶବିଶେଷ ହେଉଛି ଘାଟଲୋଡ଼ିୟା।