ଭୁବନେଶ୍ୱର, ୩୦/୦୩ : ଏପ୍ରିଲ୍ ୧ ତାରିଖରେ ଅନେକ କ୍ଷେତ୍ରରେ ବଡ଼ ବଡ଼ ପରିବର୍ତ୍ତନ ହେବା ସହ ନୂତନ ନିୟମ ମଧ୍ୟ ଲାଗୁ ହେବାକୁ ଯାଉଛି । ଆଉ ଅନେକ ପୁରୁଣା ନିୟମରେ ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଛି । ଉଦାହରଣ ସ୍ୱରୂପ ପୂର୍ବରୁ ଟ୍ରେନ୍ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କରିବାର ସୁବିଧା ଥିଲା । କିନ୍ତୁ ବର୍ତ୍ତମାନ ଏହି ସମୟକୁ ୮ ଘଣ୍ଟା କରି ଦିଆଯାଇଛି । ଟ୍ରେନ୍ ଟିକେଟ୍ ବାତିଲ୍ ସମ୍ପର୍କରେ ନୂତନ ନିୟମ କରାଯାଇଛି ଯାହା ୧ ଏପ୍ରିଲରୁ ୧୫ ଏପ୍ରିଲ୍ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଲାଗୁ କରାଯିବ । ତେବେ ଏହି ନୂଆ ନିୟମ ଗୁଡ଼ିକ କ’ଣ କ’ଣ ରହିବ ତାହା ପୂର୍ବରୁ ହିଁ ଜାଣିରଖନ୍ତୁ ଯେମିତିକି ଟ୍ରେନ୍ ଟିକେଟ୍ ବାତିଲ୍ ହେଲେ ବି ଆପଣଙ୍କର କଷ୍ଟ ଅର୍ଜିତ ପରିଶ୍ରମର ଟଙ୍କା ଯେମିତି କଟି ନଯିବ ।
ଟ୍ରେନ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ ହେଲେ ହିଁ ଟଙ୍କା ଫେରସ୍ତ ମିଳିବ । ଯଦି ଏହି ସମୟ ପରେ ଟିକେଟ୍ ବାତିଲ କରାଯାଏ ତେବେ ଟଙ୍କା ଫେରସ୍ତ କରାଯିବ ନାହିଁ । ଯଦି ଟ୍ରେନ ଛାଡ଼ିବାର ୮ ରୁ ୨୪ ଘଣ୍ଟା ପୂର୍ବରୁ କନଫର୍ମ ଟିକେଟ୍ ବାତିଲ କରାଯାଏ ତେବେ ୫୦ ପ୍ରତିଶତ ଟଙ୍କା ଫେରସ୍ତ କରାଯିବ । ଯଦି ଟ୍ରେନ ଛାଡ଼ିବାର ୨୪ ରୁ ୭୨ ଘଣ୍ଟା ପୂର୍ବରୁ କନଫର୍ମ ଟିକେଟ୍ ବାତିଲ କରାଯାଏ ତେବେ ଅତିରିକ୍ତ ଚାର୍ଜ ସହିତ ୨୫ ପ୍ରତିଶତ ରିହାତି ଦିଆଯିବ । ଯଦି ଟ୍ରେନ୍ ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ୩ ଦିନ ପୂର୍ବରୁ ଟିକେଟ୍ ବାତିଲ କରାଯାଏ ତେବେ ସେହି ଟିକେଟର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ।
ଖାଲି ଏହି ନିୟମ ନୁହେଁ ଏହା ପରିବର୍ତ୍ତେ ଅନ୍ୟ ନିୟମରେ ମଧ୍ୟ ପରିବର୍ତ୍ତନ ଆସିବାକୁ ଯାଉଛି । ଯାତ୍ରୀମାନେ ଏବେ ଟ୍ରେନର ନିର୍ଦ୍ଧାରିତ ପ୍ରସ୍ଥାନର ୩୦ ମିନିଟ୍ ପୂର୍ବରୁ ସେମାନଙ୍କର ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ କରିପାରିବେ । ପୁରୁଣା ନିୟମ ଅନୁଯାୟୀ ଏହି ବିକଳ୍ପ କେବଳ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ଉପଲବ୍ଧ ଥିଲା । କିନ୍ତୁ ନୂତନ ନିୟମ ଅଧିକ ଷ୍ଟେସନ ଥିବା ବଡ଼ ସହରଗୁଡ଼ିକର ଯାତ୍ରୀମାନଙ୍କୁ ଲାଭ ଦେବ ଯାହା ଦ୍ୱାରା ସେମାନେ ନିକଟତମ ରେଳ ଷ୍ଟେସନରୁ ସୁବିଧାଜନକ ଭାବରେ ସେମାନଙ୍କ ଟ୍ରେନରେ ଚଢ଼ିପାରିବେ । ଏବେ ବଡ଼ ପ୍ରଶ୍ନ ହେଉଛି ଟ୍ରେନ ବିଳମ୍ବ ହେଲେ ଯାତ୍ରୀ କେତେ ଟଙ୍କା ଫେରସ୍ତ ହେବ? ନୂତନ ନିୟମ ଅନୁଯାୟୀ, ଯଦି ଟ୍ରେନ୍ ତିନି ଘଣ୍ଟାରୁ ଅଧିକ ବିଳମ୍ବ ହୁଏ ତେବେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ତଥାପି ପୁରୁଣା ନିୟମ ମଧ୍ୟ ଲାଗୁ ହେବ ଏବଂ ଟ୍ରେନ୍ ବାତିଲ ହେଲେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ଦିଆଯିବ ।