ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି। ଗୁଲାମ ନବୀ ଆଜାଦଙ୍କ ସମେତ ୪ ବରିଷ୍ଠ ନେତାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱରୁ ମୁକ୍ତ କରିବା ସହ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ପୁର୍ନଗଠନ ମଧ୍ୟ କରିଛନ୍ତି। ଗୁଲାମ ନବୀ ଆଜାଦ, ମୋତିଲାଲ ବୋରା, ଅମ୍ବିକା ସୋନି ଓ ମଲିକାର୍ଜୁନ ଖାର୍ଗେଙ୍କୁ ସାଧରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି। ତ୍ରୁଣମୂଳ ସ୍ତରରୁ କଂଗ୍ରେସର ସାଂଗଠନିକ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ପତ୍ର ଲେଖିଥିବା ୨୩ ନେତାଙ୍କ ମଧ୍ୟରେ ଗୁଲାମନବୀ ସାମିଲ ଥିଲେ।
ସେହିପରି ସୋନିଆଙ୍କୁ ଦଳୀୟ କାର୍ଯ୍ୟରେ ସହଯୋଗ ପାଇଁ ଏକ ୬ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ମୁକୁଲ ୱାଜନିକ୍, ଏକେ ଆଣ୍ଟୋନୀ, ଅହମ୍ମଦ ପଟେଲ, ଅମ୍ବିକା ସୋନି, କେସି ବେଣୁଗୋପାଳ ଓ ରଣଦୀପ ସୂର୍ଯ୍ୟେଓ୍ଵାଲ ସଦସ୍ୟ ରହିଛନ୍ତି। ସୂର୍ଯ୍ୟେଓ୍ଵାଲା, ଜିତେନ୍ଦ୍ର ପ୍ରସାଦ, ଅଜୟ ମାକେନଙ୍କୁ ନୂଆ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବା ସହିତ କର୍ଣ୍ଣାଟକ, ଆସାମ ଓ ରାଜସ୍ଥାନ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି। ଦଳର କେନ୍ଦ୍ର ନିର୍ବାଚନ କମିଟିର ସଦସ୍ୟ ଭାବେ ମଧୁସୂଦନ ମିସ୍ତ୍ରି, ରାଜେଶ ମିଶ୍ର, କୃଷ୍ଣ ଗୌଡା, ଏସ ଜୋଥିମାନ ଓ ଅରବିନ୍ଦର ସିଂହ ଲଭଲିଙ୍କୁ ନିଯୁକ୍ତି ଦିଆଯାଇଛି। ପି ଚିଦମ୍ବରମ୍, ଜିତେନ୍ଦ୍ର ସିଂହ, ତାରିକ ଅନୱର, ରଣଦୀପ ସୂର୍ଯ୍ୟେଓ୍ଵାଲାଙ୍କୁ ସିଡବ୍ଲ୍ୟୁସିର ନିୟମିତ ସଦସ୍ୟ କରାଯାଇଛି।