ରୋହିତ ଶର୍ମାଙ୍କ ଉପରେ ବଡ ଦାୟିତ୍ୱ

ମେଲବୋର୍ଣ୍ଣ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ରୋହିତ ଶର୍ମା ଚଳିତ ଟି-୨୦ ବିଶ୍ୱକପରେ ଏ ପର୍ଯ୍ୟନ୍ତ ନିଜର ଦକ୍ଷତା ପ୍ରତିପାଦନ କରି ପାରି ନାହାନ୍ତି । ସୁପର-୧୨ ପର୍ଯ୍ୟାୟର ନେଦରଲାଣ୍ଡସ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ବ୍ୟତିତ ଅନ୍ୟ କୌଣସି ମ୍ୟାଚରେ ସଫଳ ହୋଇ ପାରି ନାହାନ୍ତି । ରୋହିତଙ୍କ ସହିତ ଅନ୍ୟତମ ଓପନର କେଏଲ ରାହୁଲ କେତୋଟି ମ୍ୟାଚରେ ବିଫଳ ହୋଇଥିଲେ ହେଁ ପୁଣି ସଫଳତା ଧାରାକୁ ଫେରିଛନ୍ତି ।

ଭାରତର ବିଜୟ ମୁଖ୍ୟତଃ ଆଗଧାଡ଼ି ବ୍ୟାଟରଙ୍କ ସଫଳତା ଉପରେ ନିର୍ଭର କରେ । ତେଣୁ ରୋହିତ ଶର୍ମା ବିଫଳ ହେବା ଯୋଗୁଁ ପରବର୍ତ୍ତୀ ବ୍ୟାଟରଙ୍କ ଉପରେ ଅଧିକ ଚାପ ପଡ଼ୁଛି । ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତ ଶକ୍ତିଶାଳୀ ଇଂଲଣ୍ଡ ବିରୋଧରେ ଲଢେଇ କରିବ । ତେଣୁ ଭାରତର ଓପନିଂ ଯୋଡ଼ି ଭଲ ରନ ସଂଗ୍ରହ କଲେ ଇଂଲଣ୍ଡ ବୋଲରଙ୍କ ଉପରେ ନିଶ୍ଚିତ ଚାପ ପଡ଼ିବ । ମୁଖ୍ୟତଃ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱକୁ ଉପଲବ୍ଧି କରି ସେମିଫାଇନାଲରେ ଭଲ ପ୍ରଦର୍ଶନ କରିବା ଏକାନ୍ତ ଜରୁରୀ ।

ପୂର୍ବତନ ଅଧିନାୟକ ଗାଭାସ୍କର କହିଛନ୍ତି ଯେ, ରୋହିତ ଶର୍ମା ସେମିଫାଇନାଲରେ ଭଲ ପ୍ରଦର୍ଶନ ପାଇଁ ସମସ୍ତ ରନ ମହଜୁଦ କରି ରଖିଛନ୍ତି । ଭାରତ ଯଦି ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲ ଖେଳିବ ତେବେ ରୋହିତ ଶର୍ମାଙ୍କ ଦାୟିତ୍ୱ ଆହୁରି ଅଧିକ ବଢିଯିବ । ସେ ଜଣେ ଖ୍ୟାତନାମା ବ୍ୟାଟର । ସୀମିତ ଓଭର କ୍ରିକେଟରେ ସେ ଅନେକ ନିଆରା ରେକର୍ଡ ପ୍ରତିଷ୍ଠା କରିଛନ୍ତି । ତେଣୁ ସେମିଫାଇନାଲରେ ଭଲ ପ୍ରଦର୍ଶନ ନକଲେ ଭାରତ ପାଇଁ ନିଶ୍ଚିତ ମହଙ୍ଗା ସାବ୍ୟସ୍ତ ହେବ ।

SBI_Festive_Digital Billboard