ଭୁବନେଶ୍ୱର, ୧୫/୧୧ : ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ହୋଇଥିବା ଏହି ଉପନିର୍ବାଚନରେ ଦଳକୁ ମିଳିଛି ଅଦ୍ଭୁତ ପୂର୍ବ ସଫଳତା। ବୃହତ ଜନାଦେଶ ସହିତ ନୂଆପଡ଼ା ବିଧାନସଭା ଆସନକୁ ଦଖଲ କରିଛି ବିଜେପି। ହେଲେ ଉପନିର୍ବାଚନର ଫଳାଫଳ ବିଜେଡ଼ିକୁ ଶକ୍ତ ଧକ୍କା ଦେଇଛି। କାରଣ ୨୫ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବିଜୁ ଜନତା ଦଳକୁ ନୂଆପଡ଼ାରେ କେବଳ ପରାଜୟର ସାମ୍ନା କରିବାକୁ ପଡ଼ିନାହିଁ, ବରଂ ୩ୟ ସ୍ଥାନରେ ରହି ବଡ଼ ବିଫଳତାର ସ୍ଵାଦ ଚାଖିଛି। ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର ନୂଆପଡ଼ାରେ ପ୍ରଚାର କରିଥିଲେ ହେଁ ଭୋଟରଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛନ୍ତି। ରାଜନୀତିରେ ୨୫ ବର୍ଷର ଅଭିଜ୍ଞତା ଶେଷରେ ହାର ମାନିଛି। ଏହି ପରାଜୟ ପରେ ବିଜେଡି ଶିବିରରେ ନିରାଶା ଦେଖିବାକୁ ମିଳିଛି। ଅନ୍ୟପଟେ କଂଗ୍ରେସ ୨ୟ ସ୍ଥାନରେ ରହି ନିଜର ସମ୍ମାନ ରଖିଛି। ଶୁକ୍ରବାର ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨ୟ ସ୍ଥାନରେ ରହିଆସୁଥିଲେ। ହେଲେ ୧୪ତମ ରାଉଣ୍ଡ ପରଠାରୁ ହଟାତ ଓଲଟିଯାଇଥିଲା ଗଣିତ। ସ୍ନେହାଙ୍ଗିନୀକୁ ପଛରେ ପକାଇ ଆଗରେ ଆସିଥିଲେ କଂଗ୍ରେସର ଘାସିରାମ ମାଝୀ। ଶେଷରେ ସ୍ନେହାଙ୍ଗିନୀଙ୍କୁ ୩ୟ ସ୍ଥାନରେ ରହି ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହି ନିର୍ବାଚନରେ ଜୟ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମ ମାଝୀଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି।