ସବୁଠୁ ବଡ଼ ଦାନୀ ଶିବ ନାଦର: ୧,୧୬୧ କୋଟି ଦେଲେ ବାର୍ଷିକ ଦାନ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଦାନୀ କୋଟିପତିଙ୍କ ତାଲିକାରେ ଶିବ ନାଦର ସବୁଠୁ ଆଗରେ ରହିଛନ୍ତି । ଆଇଟି କମ୍ପାନୀ ଏଚସିଏଲର ଫାଉଣ୍ଡର ଶିବ ନାଦର ୧,୧୬୧ କୋଟି ଟଙ୍କା ବାର୍ଷିକ ଦାନ ଦେଇଛନ୍ତି । ଏହି ହିସାବରେ କହିପାରିବା ଯେ, ଶିବ ନାଦର ପ୍ରତିଦିନ ୩କୋଟି ଟଙ୍କା ଦାନ ପାଇଁ ଖର୍ଚ୍ଚ କରିଛନ୍ତି । ଶିବ ନାଦର ଆଇଟି କମ୍ପାନୀ ୱିପ୍ରୋର ଫାଉଣ୍ଡର ଅଜିମ୍ ପ୍ରେମଜୀଙ୍କୁ ପଛରେ ପକାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅଜିମ୍ ପ୍ରେମଜୀଙ୍କୁ ସବୁଠୁ ବଡ଼ ଦାନବୀର କୁହାଯାଉଥିଲା ।

ହେଲେ ଚଳିତ ବର୍ଷ ଅଜିମ୍ ପ୍ରେମଜୀ ୪୮୪ କୋଟି ଟଙ୍କାର ବାର୍ଷିକ ଦାନ ଦେଇଛନ୍ତି ଏବଂ ସେ ତାଲିକାରେ ୨ୟ ସ୍ଥାନରେ ଅଛନ୍ତି । ରିପୋର୍ଟ ମୁତାବିକ ୩ୟ ଓ ୪ର୍ଥ ସ୍ଥାନରେ କ୍ରମଶଃ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ ମୁକେଶ ଅମ୍ୱାନୀ ଓ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଳମ୍ ବିର୍ଲା ଅଛନ୍ତି । ଅମ୍ୱାନୀ ଗୋଟିଏ ବର୍ଷରେ ୪୧୧ କୋଟି ଟଙ୍କା ଦାନ ଦେଇଛନ୍ତି ଏବଂ ଏହି ଅବଧିରେ ବିର୍ଲା ୨୪୨ କୋଟି ଟଙ୍କା ଦାନ ଦେଇଛନ୍ତି ।

ଆଇଟି ସେକ୍ଟରର ପ୍ରସିଦ୍ଧ କମ୍ପାନୀ ମାଇଣ୍ଡଟ୍ରି ସହ ଜଡ଼ିତ ସୁସ୍ମିତା ବାଗ୍ଚୀ ଓ ସୁବ୍ରତ ବାଗଚୀଙ୍କ ବ୍ୟତୀତ ରାଧା ଓ ଏନଏସ୍ ପାର୍ଟସାରଥୀ ୨୧୩ କୋଟି ଟଙ୍କାର ବାର୍ଷିକ ଦାନ ସହ ୫ମ ସ୍ଥାନରେ ଅଛନ୍ତି । ୧୯୦ କୋଟି ଟଙ୍କାର ଦାନ ସହ ଗୌତମ ଅଦାନୀ ଏହି ବର୍ଷ ତାଲିକାରେ ୭ମ ସ୍ଥାନରେ ଥିଲେ । ଆଇଟି କମ୍ପାନୀ ଇନଫୋସିସ ସହ ଜଡ଼ିତ ନନ୍ଦନ ନିଲେକଣି , କ୍ରିସ୍ ଗୋପାଳକୃଷ୍ଣନ ଓ ଏସଡି ଶିବୁଲାଲ କ୍ରମଶଃ ୧୫୯ କୋଟି ଟଙ୍କା, ୯୦ କୋଟି ଟଙ୍କା ଓ ୩୫ କୋଟି ଟଙ୍କା ଲେଖାଏଁ ଦାନ ପାଇଁ ଖର୍ଚ୍ଚ କରିଛନ୍ତି । ସେମାନଙ୍କର ରାଙ୍କିଂ ଯଥାକ୍ରମେ ୯, ୧୬ ଓ ୨୮ତମ ଅଛି ।

SBI_Festive_Digital Billboard