ବିହାର, ୧୫/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଅବିକଳ ଦେଖାଯାଉ ଥିବା ଅଭିନନ୍ଦନ ବିହାର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ବିଧାୟକ ପଦ ସହ ସିଏମ ପାଇଁ ମଧ୍ୟ ଆଶାୟୀ ଅଛନ୍ତି। ସେ କହିଛନ୍ତି ବିଧାୟକ ହେବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରନ୍ତି।
ଅଭିନନ୍ଦନ ହଥୁଆ ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ଲଢ଼େଇ ବିକାଶର ଲଢ଼େଇ ବୋଲି ସେ ମତ ରଖିଛନ୍ତି। ନିର୍ବାଚନ ଜିତିବା ପରେ ସେ ପାଟଣା ଯିବେ ଓ ମୁଖ୍ୟମନ୍ତ୍ରୀ ହେବାକୁ ଉଦ୍ୟମ କରିବେ। ଯଦି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳେ ତେବେ ସେ ବିହାରର ବିକାଶ କରିବେ। ଏହା ସହ ଜନତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେବେ। ଧନି ଓ ଗରିବ ଭିତରେ ଥିବା ଦୂରତ୍ବକୁ କମ୍ କରିବେ।
ସେ ଗତ ଲୋକସଭା ନିର୍ବାଚନରେ ଲକ୍ଷ୍ମୌ ଆସନରୁ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ି ଥିଲେ। ସେ ଅସଲରେ ୟୁପିର ସହରାନପୁର ଜିଲ୍ଲାରେ ରହନ୍ତି। ତେବେ ତାଙ୍କ ଶ୍ବଶୂର ଘର ଗୋପାଳଗଞ୍ଜର ପୁଲବରିଆ ପ୍ରଖଣ୍ଡର ସବନାହା ଗାଁରେ। ସେଠାରେ ସେ ନବବରସାରେ ରହୁଛନ୍ତି। ତେବେ ତାଙ୍କ ସିଧା ଲଢ଼େଇ ସମାଜ କଲ୍ୟାଣ ମନ୍ତ୍ରୀ ରାମସେବକ ସିଂହ ସହ ରହିଛି। ରାମସେବକ ହଥୁଆରୁ ଚାରିଥର ବିଧାୟକ ରହିଛନ୍ତି। ଏଥର ସେ ପଞ୍ଚମ ଥର ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି। ଜେଡିୟୁର ଏହା ହେଉଛି ପରମ୍ପରାଗତ ଆସନ।