ନୀତୀଶ କୁମାରଙ୍କୁ ସମାଲୋଚନା କଲେ ବିହାର ବି‌ରୋଧୀ ଦଳ

ନୂଆଦିଲ୍ଲୀ,୧୯ /୧୧: ଦୁର୍ନୀତି ଅଭିଯୋଗରେ ସମ୍ମୁଖୀନ ହୋଇ ଦଳରୁ ବହିଷ୍କୃତ ‌ହୋଇଥିବା ‘ଜେଡି(ୟୁ)’ର ମେୱାଲାଲ୍‌ ଚୌଧୁରୀଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିବାରୁ ବୁଧବାର ଦିନ ବିହାରର ମୁଖ୍ୟ ବିରୋଧୀ ‘ଆର୍‌ଜେଡି’ ଏବଂ ତା’ର ମିତ୍ର ଦଳମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରିଛନ୍ତି। ତାଙ୍କୁ ବହିଷ୍କାର କରାଯାଉ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି।

‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ କହିଛନ୍ତି, ଏକ କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଏବଂ ପ୍ରଥମଥର ମନ୍ତ୍ରୀ ହୋଇଥିବା ଚୌଧୁରୀ ଭାରତୀୟ ପିଙ୍ଗଳ କୋଡ୍‌ର ‘ଧାରା ୪୨୦’ରେ ଠକାମି ଓ ଅସାଧୁତା ଏବଂ ‘ଧାରା ୧୨୦ ଖ’ରେ ଅପରାଧିକ ଷଡ଼ଯନ୍ତ୍ର ସମେତ ବହୁ ସାଙ୍ଘାତିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭାଗଲପୁର ଜିଲ୍ଲା ଅନ୍ତର୍ଗତ ସାବୌରସ୍ଥିତ ବିହାର କୃଷି ବିଶ୍ବବିଦ୍ୟାଳୟରେ କୁଳପତି ଥିବାବେଳେ ନିଯୁକ୍ତିରେ ଅନିୟମିତା ଅଭିଯୋଗରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର୍‌ ହେବା ପରେ ୬୭ ବର୍ଷିୟ ଚୌଧୁରୀ ୨୦୧୭ରେ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ‘ଜେଡି(ୟୁ)’ରୁ ବହିଷ୍କୃତ ହୋଇଥିଲେ।

କ୍ୟାବିନେଟ୍‌ରେ କୌଣସି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନିଯୁକ୍ତି ‌ନ ଦେଇଥିବାରୁ ମଧ୍ୟ ତେଜସ୍ବୀ ନୂଆ ‘ଏନ୍‌ଡିଏ’ ସରକାରଙ୍କୁ ସମାଲୋଚନା କରିଛନ୍ତି।