ପାଟନା : ବୁଧବାର ମଧ୍ୟାହ୍ନରେ ବିହାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜଧାନୀ ପାଟନା ସମେତ ପଶ୍ଚିମ ଚମ୍ପାରଣ ମଧ୍ୟ ଭୂକମ୍ପରେ ଥରିଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୪ ରେକର୍ଡ କରାଯାଇଛି । ମିଳିଥିବା ସୂଚନାନୁସାରେ, ପ୍ରଥମେ ନେପାଳର କାଠମାଣ୍ଡୁରେ ଭୂକମ୍ପ ଅନୁଭୂତ ହୋଇଥିଲା । କାଠମାଣ୍ଡୁ ଠାରୁ ୫୩ କି.ମି. ପୂର୍ବରେ ଏହାର କେନ୍ଦ୍ରସ୍ଥଳ ରହିଥିଲା ।
ଏହାର ପ୍ରଭାବରେ ନେପାଳ ସୀମାକୁ ଲାଗିଥିବା ଭାରତର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଲୋକେ ଭୟରେ ଘର ଓ ଅଫିସ ଛାଡ଼ି ଖୋଲାସ୍ଥାନକୁ ପଳାଇ ଆସିଥିଲେ । ତେବେ ଏଥିରେ କ’ଣ କ୍ଷୟକ୍ଷତି ହୋଇଛି ସେନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ ।