ଭୁବନେଶ୍ୱର : ଶେଷରେ ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ଡକୋଟା ବିମାନ । ବୁଧବାର ସକାଳୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଲକ୍ଷ୍ମଣନାଥ ଟୋଲ ଗେଟ ପାର କରିଛି। ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି। କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା।ତେବେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦୃଷ୍ଟିଗୋଚର ହୋଇଛି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଓଡ଼ିଶାରେ ପ୍ରବେଶ କରିଛି । ଜାତୀୟ ରାଜପଥ ଦେଇ ୩ଟି ଟ୍ରେଲରରେ ବିମାନର ସମସ୍ତ ଅଂଶ ବୋଝେଇ ହୋଇ ଭୁବନେଶ୍ୱର ଆସୁଛି ।
ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି । କୋଲକାତା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ବଳୟ ଯୋଗାଇ ଦେଇଥିଲେ । ଓଡ଼ିଶା ସୀମା ପହଞ୍ଚିବା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ୱରରେ ପହଞ୍ଚିବ । ଓଡ଼ିଶା ପୋଲିସର କଡ଼ା ସୁରକ୍ଷାରେ ଡାକୋଟା ବିମାନ ଭୁବନେଶ୍ୱର ଅଣାଯିବ । ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଡାକୋଟାର ଯାଞ୍ଚ କରିବେ । ଏହା ପରେ ଯନ୍ତ୍ରୀ ମାନଙ୍କର ଏକ ଟିମ୍ ଏହାକୁ ଫିଟିଂ କରିବେ । ଡାକୋଟାକୁ ତାର ମୂଳ ଅବସ୍ଥାକୁ ଅଣାଯିବ । ଏଥିପାଇଁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଏହା ପରେ ବିମାନବନ୍ଦର ପକ୍ଷରୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୧ ଦଶମିକ ୧ ଏକର ଜମିରେ ବିଜୁ ବାବୁଙ୍କ ଡାକୋଟା ଶୋଭା ପାଇବ । ମାର୍ଚ୍ଚ ୫ ତାରିଖରେ ଏହାର ଲୋକାର୍ପଣ ହୋଇପାରେ ।
