ଭୁବନେଶ୍ବର13/6 : ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ଆଜି ନିର୍ବାଚିତ ହୋଇଛନ୍ତି ବିଜେଡ଼ିର ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ । ବାଚନିକ ଭୋଟ ପରେ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ମୁଖ୍ୟମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାମ ପ୍ରସ୍ତାବ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ କରିଥିଲେ। ସୋମବାର ଦିନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଏହି ଘୋଷଣା କରାଯାଇଛି। ତାପରେ ବିକ୍ରମ କେଶରୀ ଆରୁଖ ନୂତନ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ନିର୍ବାଚନ ପରେ ଗୃହ ମୁଲତବୀ ରହିଛି।
ତେବେ ୧୦ ତାରିଖରେ ନାମାଙ୍କନ ଭରିଥିଲେ ବିକ୍ରମ ଆରୁଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମଙ୍କ ପ୍ରସ୍ତାବକ ରହିଛନ୍ତି । ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀଙ୍କ ଗହଣରେ ଯାଇ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ବିକ୍ରମ କେଶରୀ ଆରୁଖଙ୍କ ବ୍ୟତିତ ଅନ୍ୟ କେହି ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ନାମାଙ୍କନ କରିନଥିଲେ । ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା ।
ଖବର ଅନୁଯାୟୀ, ୧୯୯୫ରେ ପ୍ରଥମ ଥର ପାଇଁ ବିକ୍ରମ ଆରୁଖ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରୁ ଲଗାତର ଭାବେ ବିଜେଡି ଟିକେଟ୍ ରୁ ସେ ଜିତି ଆସୁଛନ୍ତି । ୨୦୦୯ରେ ଚତୁର୍ଥ ଥର ବିଧାୟକ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା । ବିକ୍ରମ ଆରୁଖ ଗ୍ରାମ୍ୟ ଉନ୍ନୟନ ଓ ଆଇନ ବିଭାଗ ମନ୍ତ୍ରୀ ହୋଇଥିଲେ। ଏହା ପରଠାରୁ ଆରୁଖ ଆଇନ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ସମ୍ଭାଳି ଆସିଥିଲେ । ଗଞ୍ଜାମ ଜିଲ୍ଲାରୁ ବିକ୍ରମ ଆରୁଖ ହିଁ ଦୀର୍ଘ ୧୩ ବର୍ଷରୁ ଅଧିକ ସମୟ ହେଲା ମନ୍ତ୍ରୀ ପଦରେ ରହି ଆସିଥିଲେ । ଅନ୍ୟପଟେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଭିନନ୍ଦନ ଜଣାଇଥିଲେ। ବିରୋଧୀ ଦଳର ନେତା ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଥିଲେ।