ନୂଆଦିଲ୍ଲୀ, ୨୪/୦୪: ବ୍ରିଟେନରେ ନିର୍ମାଣ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ମନ୍ଦିର। ଏହି ମନ୍ଦିରକୁ ଭବ୍ୟ ଭାବରେ ତିଆରି କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି। ଆଉ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୨୫୦ କୋଟି ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି ଜଣେ ଓଡ଼ିଆ ପୁଅ। ତେବେ ଓଡ଼ିଆ ପୁଅଙ୍କ ଏହି ଦାନ ଏପର୍ଯ୍ୟନ୍ତ ଭାରତୀୟଙ୍କ ତରଫରୁ ବିଦେଶରେ ମନ୍ଦିର ପାଇଁ କରାଯାଇଥିବା ଦାନ ମଧ୍ୟରେ ସବୁଠୁ ବଡ଼ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ…
ବ୍ରିଟେନରେ ନିର୍ମାଣ ହେବାକୁ ଯାଉଥିବା ପ୍ରଥମ ଜଗନ୍ନାଥ ମନ୍ଦିର ପାଇଁ ୨୫୦ କୋଟି ଦାନ କରିଥିବା ଓଡ଼ିଆ ପୁଅ ହେଉଛନ୍ତି ଧନୀ ବ୍ୟବସାୟୀ ବିଶ୍ବନାଥ ପଟ୍ଟାନାୟକ। ବିଶ୍ବନାଥ ପଟ୍ଟନାୟକ ନିବେଶକାରୀ କମ୍ପାନୀ FinNest Group of Comapaniesର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ। ଏହି କମ୍ପାନୀ ହେଉଛି ଏକ ବେସରକାରୀ ଇକ୍ବିଟି ନିବେଶକାରୀ ସଂସ୍ଥା। ତେବେ ଏପର୍ଯ୍ୟନ୍ତ ସବୁଠୁ ବଡ଼ ଦାନ କରିଥିବା ବିଶ୍ବନାଥ ପଟ୍ଟନାୟକ ଗଣମାଧ୍ୟମ ଠାରୁ ବହୁତ ଦୂରରେ। ଏଥିପାଇଁ ତାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି। ଧନୀ ବ୍ୟବସାୟୀ ହେବା ସହ ସେ ଆଇନ୍ ପରାମର୍ଶଦାତା ଏବଂ ଜଣେ ଦାର୍ଶନିକ ମଧ୍ୟ । ପଟ୍ଟନାୟକଙ୍କ ଏମବିଏ, ଏଲଏଲବି ଏବଂ ବିଏ ଅର୍ଥନୀତିର ଡିଗ୍ରୀ ହାସଲ କରିଛନ୍ତି।
ବିଶ୍ବନାଥ ପଟ୍ଟନାୟକ ହେଉଛନ୍ତି ଜଣେ ସଫଳ ବ୍ୟାଙ୍କର୍, ଅନେକ ଆର୍ଥିକ ସଂସ୍ଥା ପାଇଁ ସେ କାମ କରିଛନ୍ତି। ୨୦୦୯ରେ ସେ ଉଦ୍ୟୋଗୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ବିଶ୍ବନାଥ ପଟ୍ଟନାୟକ ଭାରତ ଏବଂ ୟୁନେସ୍କୋର ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ମଧ୍ୟ ସେ ଖୁବ୍ ଅର୍ଥ ଦାନ କରିଥାନ୍ତି । ଆପଣ ଜାଣିଲେ ନିଶ୍ଚୟ ପ୍ରଶଂସା କରିବେ ବିଶ୍ବନାଥ ପଟ୍ଟନାୟକ ମୌଳିକ ସୁବିଧାର ବଞ୍ଚିତ ୫୦୦ ଝିଅଙ୍କୁ ଶିକ୍ଷିତ କରିବା ପାଇଁ ଦାୟିତ୍ବ ନେଇଛନ୍ତି। ଏହା ସହ ବିଶ୍ବନାଥ ବିଭିନ୍ନ କ୍ଷେତ୍ରରେ ଯେମିତିକି ସ୍ବାସ୍ଥ୍ୟ, ରିଟେଲ୍, ସବୁଜ ଶକ୍ତି, ନବୀକରଣ ଯୋଗ୍ୟ ଶକ୍ତିରେ ନିବେଶ କରିଛନ୍ତି।
ତେବେ ସେ ୨୫୦ କୋଟି ଦାନ କରିବା ଘୋଷଣା ରବିବାର ଅକ୍ଷୟ ତୃତୀୟା ଅବସରରେ ପ୍ରଥମ ଥର ବ୍ରିଟେନ୍ରେ ଆୟୋଜନ ହୋଇଥିବା ଜଗନ୍ନାଥ ସମ୍ମିଳନୀରେ କରିଛନ୍ତି। FinNestର ପରିଚାଳନା ନିର୍ଦ୍ଦେଶକ ଅରୁଣ କର ମଧ୍ୟ ଜଣେ ବଡ଼ ଦାତା ଭାବରେ ରହିଛନ୍ତି। FinNest ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଅରୁଣ କର କହିଛନ୍ତି FinNest ଗ୍ରୁପ୍ ପ୍ରଥମର ହିଁ ପ୍ରାୟ ୧୫ ଏକର ଜମି କିଣିବା ପାଇଁ ୬୦ କୋଟି ଦେବା ପାଇଁ ଘୋଷଣା କରିଛି। ଜମି ପାଇଁ ଏକ ଆବଶ୍ୟକୀୟ ଭୂଖଣ୍ଡ ଚିହ୍ନଟ କରାଯାଇଛି। ୨୦୨୪ ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ସରିବା ନେଇ ଅନୁମାନ କରାଯାଉଛି।
ନଭନତ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ପୁରୀ ମହାରାଜା ଦିବ୍ୟସିଂହ ଦେବ ପୁରୀ ମହାରାଣୀ ଲିଳାବତୀ ପଟ୍ଟମହାଦେଇ ଯୋଗଦେଇଥିଲେ। ଗଜପତି ମହାରାଜା ଉଦବୋଧନ ଦେଇ ପ୍ରଭୁ ଜଗନ୍ନାଥଙ୍କ ପରମ୍ପରା ଏବଂ ପରୁଷୋତ୍ତମ କ୍ଷେତ୍ରର ମହିମା ବିଷୟରେ କହିଥିଲେ। ସେ ଭାରତ ଏବଂ ବିଶ୍ବର କୋଣ ଅନୁକୋଣରେର ପ୍ରଭୁ ଜଗନ୍ନାଥଙ୍କ ପୂଜାକୁ ନେଇ ଖୁସି ପ୍ରକାଶ କରିଥିଲେ।
