ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବଣ୍ଟାଯାଉଥିବାର ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ଭିତ୍ତିହୀନ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ଏନେଇ ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ବିଜେଡ଼ିର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଭିଡିଓର ଫୋରେନସିକ୍ ଯାଞ୍ଚ ପାଇଁ ଦାବି କରିଛନ୍ତି ।
ରାଜନୈତିକ ଉଦ୍ଦେଶ୍ୟ ରଖି ଧାମନଗର ମାଟିର ଏସଏଚଜି ମହିଳାଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଏହି ପ୍ରତିନିଧି ଦଳ କହିଛନ୍ତି । ଭିଡିଓରେ ଥିବା ବ୍ୟକ୍ତି ଜଣକ କିଏ ତାହା ପ୍ରମାଣିତ କରିବାକୁ ବିଜେଡ଼ି ବିଜେପିକୁ ଆହ୍ୱାନ ଦେଇଛି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।