ପଦ୍ମପୁରରେ ଜିଏସ୍‌ଟି ଚଢ଼ଉ ବେଳେ ବିଜେପିର ୩ ଜଣ ନେତା ବାଧା ସୃଷ୍ଟି କରିଛନ୍ତି : ଲେଲିନ୍ ମହାନ୍ତି

ଭୁବନେଶ୍ବର,୨୯/୧୧: ବରଗଡ଼ ଜିଲ୍ଲା ପଦ୍ମପୁରରେ ଗତକାଲି ସନ୍ଧ୍ୟାରେ ଜିଏସ୍‌ଟି ଚଢ଼ଉ ସମୟରେ ବିଜେପି ନେତା ବାଧା ସୃଷ୍ଟି କରିଛନ୍ତି। ବିଜେପିର ୩ଜଣ ପ୍ରମୁଖ ନେତା ତଦନ୍ତରେ ବ୍ୟାଘାତ ସୃଷ୍ଟି କରିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ନିବେଦନ କରିଛି। ଜଗଦମ୍ବା କ୍ଲଥ ଷ୍ଟୋରରେ ଜିଏସ୍‌ଟି ଚଢ଼ଉ ଚାଲୁଥିବା ବେଳେ ବିଜେପି ନେତା କାହିଁକି ଆସିଥିଲେ ବୋଲି ବିଜେଡି ନେତା ଲେଲିନ୍ ମହାନ୍ତି କହିଛନ୍ତି। ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରଧାନ ଓ କାଳନ୍ଦି ସାମଲ ଜିଏସଟି ଚଢ଼ଉ ବେଳେ ବାଧା ସୃଷ୍ଟି କରୁଥିଲେ । ଜଗଦମ୍ବା କ୍ଲଥ ଷ୍ଟୋରରେ ବିଜେପିର ଚୋରା ପଇସା ଲାଗିଥିଲା କି ? କୌଣସି ନେତାଙ୍କର ଟଙ୍କା ଦୋକାନରେ ଲାଗିଥିଲା କି ? ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଜିଏସ୍‌ଟିର ତଦନ୍ତରେ ବାଧା ସୃଷ୍ଟି କରୁଥିବା ୩ ଜଣ ନେତାଙ୍କୁ ତଡିପାର କରିବାକୁ ବିଜେଡି ସିଇଓ ନିକଟରେ ନିବେଦନ କରିଛି। ନିର୍ବାଚନ ହେଉଥିବା ଜିଲ୍ଲା ସୀମାରୁ ଏହି ନେତାଙ୍କୁ ବାହାର କରିବାକୁ ନିବେଦନ କରିଛି। ଏହି ନେତାମାନେ ନିର୍ବାଚନ ପ୍ରକ୍ରିୟା ପାଇଁ କ୍ଷତିକାରକ। ବିଜେପି କର୍ମୀମାନେ ଜିଏସ୍‌ଟିର କର୍ତ୍ତବ୍ୟରତ ମହିଳାଙ୍କୁ ଆକ୍ରମଣ କରୁଛନ୍ତି। ସିଟି ଓ ଜିଏସ୍‌ଟି ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ନେତାମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। କାହିଁକି ଏମିତି କଲେ ଉତ୍ତର ଦେଉ ବିଜେପି ବୋଲି ବିଜେଡି କହିଛି।