ବିଜେଡି ପ୍ରତିଷ୍ଠା ଦିବସ : ଏବେଠୁ ପୁରୀରେ ନେତାଙ୍କ ଭିଡ

ପୁରୀ,୨୪/୧୨: ପୁରୀରେ ବିଜେଡି ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏଥି‌ରେ ସାରା ରାଜ୍ୟର ୪୦ ହଜାର ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଏକାଠି କରିବ ବିଜେଡି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଦଳର ସବୁ ମନ୍ତ୍ରୀ, ସାଂସଦ, ବିଧାୟକ ଉପସ୍ଥିତ ରହିବେ। ଏଥି ପାଇଁ ବିଜେଡି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ତାଳବଣିଆରେ ଟେଣ୍ଟ ବାନ୍ଧିବା କାମ ବି ଆରମ୍ଭ ହୋଇସାରିଛି। ସେପଟେ ପ୍ରତିଷ୍ଠା ଦିବସ ପୂର୍ବପ୍ରସ୍ତୁତି ପାଇଁ ବହୁ ମନ୍ତ୍ରୀ, ବିଧାୟକ, ବରିଷ୍ଠ ନେତା ଏବେଠୁ ପୁରୀରେ ଡେରା ପକାଇବା ସହ ଆଜି ତାଳବଣିଆ ପଡ଼ିଆ ବୁଲି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।

ଗତକାଲି ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ଦେଇ ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କହିଥିଲେ, ବିଜେଡିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଡିସେମ୍ବର ୨୬ରେ ବ୍ୟାପକ ଆୟୋଜନ କରାଯାଇଛି। ବିଜୁ ଜନତା ଦଳର କର୍ମକର୍ତ୍ତା ଏହି ସମାରୋହରେ ଯୋଗଦେବେ। ପୁରୀ ତାଳବଣିଆ ପଡ଼ିଆଠାରେ ଏହି ସମାରୋହର ଆୟୋଜନ କରାଯିବ। ସକାଳ ୯ଟାରୁ ପଞ୍ଜୀକରଣ ପରେ ପୂର୍ବାହ୍ଣ ୧୦ଟାରେ ସଭା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏଥିରେ ଉଦ୍‌ବୋଧନ ଦେବେ। ରାଜ୍ୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ବ୍ଲକ୍‌, ପଞ୍ଚାୟତ କର୍ମକର୍ତ୍ତା, ‌ବିଜୁ ଛାତ୍ର, ଯୁବ, ମହିଳା, ଶ୍ରମିକ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ କର୍ମକର୍ତ୍ତା ଯୋଗଦେବେ। ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ସହରାଞ୍ଚଳ ପ୍ରତିନିଧି ବି ଯୋଗଦେବେ। ସମବାୟ ନିର୍ବାଚନରେ ଲଢ଼ି ଜିତିଥିବା ପ୍ରତିନିଧିମାନେ ଯୋଗଦେବେ। ୪୦ହଜାରରୁ ଅଧିକ କର୍ମକର୍ତ୍ତା ଏଥିରେ ଯୋଗଦେବେ ବୋଲି ପୂର୍ବ ଆକଳନ କରାଯାଇଛି।

SBI AD