ରାଜରାସ୍ତାରେ କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର,୧୪/୨: କେନ୍ଦ୍ର ସରକାର ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ମାଗଣା ଚାଉଳ କାଟି ଦେଇଥିବା ବେଳେ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିଛନ୍ତି। ଏହା ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ପୂର୍ବରୁ ଯେଉଁ ପରିମାଣର ଧାନ ଉଠାଉଥିଲ, ଏବେ ବି ସେହି ପରିମାଣର ଧାନ ଉଠାଅ, ନଚେତ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।

ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ଯାଇଥିବା ନେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଜେପି ବିକ୍ଷୋଭ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଫଳରେ ରାଜଧାନୀର ରାଜରାସ୍ତାରେ ଉଭୟ ବିଜେପି-ବିଜେଡିର ହଲ୍ଲାବୋଲ ଦେଖିବାକୁ ମିଳିଛି । ଆଜିଠୁ ତିନି ଦିନ ଯାଏଁ ଉଭୟ ଦଳର ଧାରଣା ଚାଲୁ ରହିବ।

ବିଜେଡିର ତୁଙ୍ଗ ନେତାଙ୍କ ସମେତ ଶତାଧିକ କର୍ମୀ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଦଳ କେନ୍ଦ୍ର ବିରୋଧରେ ଗର୍ଜିଛନ୍ତି। ଏହାପରେ ବିଜେଡିର ସାଙ୍ଗଠନିକ ସମ୍ପାଦକ, ବିଧାୟକଙ୍କ ଏକ ଟିମ୍‌ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଆଜି ରାଜଭବନ ଆଗରେ ଧାରଣା ପରେ ଆସନ୍ତାକାଲି ପଞ୍ଚାୟତ ଅଫିସ୍ ଓ ୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବ ଦଳ । ୧୫ ଦିନରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏଥର ରାଜ୍ୟରୁ ଚାଉଳ ସଂଗ୍ରହ କମ୍‌ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ରାଜ୍ୟ । ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ କରୁଥିବା ବେଳେ ଏବେ ୪ ଲକ୍ଷ ଟନ୍‌ ସଂଗ୍ରହ କରିବ । ଧାନ ଉଠାଣ ପାଇଁ କେନ୍ଦ୍ର ୨୦ ହଜାର କୋଟି ଟଙ୍କା କମ୍‌ ବ୍ୟୟବରାଦ କରିଛନ୍ତି। କଟନୀ ଛଟନୀ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛି ବୋଲି ଅଭିଯୋଗ କରିଛି କେନ୍ଦ୍ର ।

ଏବେ ସମଗ୍ର ରାଜ୍ୟରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜାନୁୟାରୀ ମାସର ଚାଉଳ ବଣ୍ଟନ କରାଯାଉଛି । କେନ୍ଦ୍ର ସରକାର ଗତ ଡିସେମ୍ବର ୨୮ତାରିଖରେ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ( ଓଡ଼ିଶାର ୩.୨୫କୋଟି ଲୋକଙ୍କ ସମେତ ସମଗ୍ର ଦେଶରେ ୮୦କୋଟି)ଙ୍କୁ ମାଗଣାରେ ମୁଣ୍ଡପିଛା ମାସିକ ୫କିଲୋ ଚାଉଳ/ଗହମ ଯୋଗାଇ ଦିଆଯିବ ତଥା ପରିବହନ ଓ ହ୍ୟାଣ୍ଡେଲିଂର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ସୂଚନା ଦେଇଥିଲେ ।

ଯଦିଓ କେନ୍ଦ୍ର ସରକାର ୨୦୨୦ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ମାସିକ ମୁଣ୍ଡପିଛା ଅତିରିକ୍ତ ୫କିଲୋ ଚାଉଳ ମାଗଣା ଦେବା ଆରମ୍ଭ କରିବା ପରେ ରାଜ୍ୟ ସରକାର ମଧ୍ୟ ରାଜ୍ୟ ଖାଦ୍ୟ କାର୍ଡଧାରୀଙ୍କୁ ବି ମାଗଣା ଅତିରିକ୍ତ ୫କିଲୋ ଚାଉଳ ଯୋଗାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ବି ଅତିରିକ୍ତ ଚାଉଳ ଯୋଗାଇବା ବନ୍ଦ କରିଦେଇଛନ୍ତି ।

SBI AD