ଭୁବନେଶ୍ୱର, ୨୬/୧୨ : ବିଜେଡି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ । ବିଜେଡି ପ୍ରତିଷ୍ଠା ଦିବସରେ ଦୃଢୋକ୍ତି ପ୍ରକାଶ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନବୀନଙ୍କ ୫ଟି ମୁଖ୍ୟ ବାର୍ତ୍ତା ଥିଲା । ବିଜେଡି ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସ୍ୱର ହୋଇ ରହିବ । ଦଳ ଭାଙ୍ଗିଯିବା ନେଇ ଚାଲିଥିବା ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଦ୍ବିତୀୟ କହିଥିଲେ ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଓଡ଼ିଶା ପାଇଁ ଏକ ସୁବର୍ଣ୍ଣ ଯୁଗ ଥିଲା । ଏହି ସମୟରେ ଗରିବୀ ଦୂର ହେବା ସହ ମହିଳା ସଶକ୍ତିକରଣ ଓ କୃଷି କ୍ଷେତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ତୃତୀୟରେ ବର୍ତ୍ତମାନ ସରକାରଙ୍କ ବିଫଳତା କଥା କହିଥିଲେ । ବର୍ତ୍ତମାନର ବିଜେପି ‘ଡବଲ-ଇଞ୍ଜିନ’ ସରକାର ବିକାଶ କରିବାରେ ବିଫଳ ହୋଇଛନ୍ତି । ଚାଷୀ ସମସ୍ୟା, ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି ବୋଲି କହିଥିଲେ ନବୀନ । ଚତୁର୍ଥରେ ସୋସିଆଲ ମିଡିଆରେ ଯୁବପିଢ଼ିଙ୍କ ଭୂମିକାକୁ ଗୁରୁତ୍ବ ଦେଇଥିଲେ । କହିଥିଲେ ଯୁବକମାନେ ଦଳର ବଡ଼ ସମ୍ପତ୍ତି । ସୋସିଆଲ ମିଡିଆରେ ବିଜେଡି ବିରୋଧରେ ଚାଲିଥିବା ମିଥ୍ୟା ପ୍ରଚାରର କଡ଼ା ଜବାବ ଦେବାକୁ ନବୀନ ପଟ୍ଟନାୟକ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ଧୈର୍ଯ୍ୟର ସହ ଆଗକୁ ବଢ଼ିବାକୁ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଆଜିର ଆହ୍ୱାନକୁ ଆଗାମୀ ଦିନରେ ସୁଯୋଗରେ ପରିଣତ କରି ଏକ ସଶକ୍ତ ଓଡ଼ିଶା ଗଢ଼ିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।