ଭୁବନେଶ୍ଵର ,୨୭/୬ : ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି । ସାଙ୍ଗଠନିକ କ୍ଷେତ୍ରରେ ପୁନର୍ବିନ୍ୟାସ ପ୍ରକ୍ରିୟା ଜାରି ରହିଛି । ଗତ କାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସିନିୟର ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ବିଜୁ ମହିଳା ଜନତା ଦଳର ନବକଳେବର ହୋଇଛି। ବିଜେଡ଼ି ମହିଳା ଜନତା ଦଳର ପଦାଧିକାରୀ ଘୋଷଣା କରିଛି । ନୂଆ ଟିମ୍ରେ ୫ ଉପଦେଷ୍ଟା, ସେଥିରେ ଦଳର ବରିଷ୍ଠ ନେତ୍ରୀ, ସାଂସଦ, ବିଧାୟିକା ଏବଂ ପୂର୍ବତନ ବିଧାୟିକା ଅଛନ୍ତି । ସ୍ନେହାଁଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵରେ କାର୍ଯ୍ୟ କରୁଥିବା ବିଜେଡି ମହିଳା ଟିମ୍ରେ ସୁଭାଷିନୀ ଜେନା, ସୁଲତା ଦେଓ, ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ମିଳିଛି । କସ୍ତୁରୀ ମହାପାତ୍ରଙ୍କୁ ମହିଳା ୱିଙ୍ଗ ମହାସଚିବ ଦାୟିତ୍ବ ମିଳିଛି।
ରାଜ୍ୟକୁ ୭ ଜୋନରେ ଭାଗ କରି ସେଥିରେ ମହିଳା ସଙ୍ଗଠନକୁ ଆଗକୁ ନେବାକୁ ଜୋନ ସଭାନେତ୍ରୀ ଓ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ୯ ଜଣଙ୍କୁ ବରିଷ୍ଠ ଉପ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । ୨୭ ଉପସଭାନେତ୍ରୀ, ୩୫ ସାଧାରଣ ସଂପାଦିକା, ୩୬ ଜଣ ସଂପାଦିକା, ଏବଂ ୨୮ ଜଣ ଯୁଗ୍ମ ସଂପାଦିକା, ୬୯ ଜଣଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ସଦସ୍ୟା ଭାବେ ରଖାଯାଇଛି । ଏଥି ସହିତ ୩୩ ସାଙ୍ଗଠନିକ ଜିଲ୍ଲାର ବିଜୁ ମହିଲା ଜନତା ଦଳର ସଭାନେତ୍ରୀଙ୍କୁ ନିଯୁକ୍ତ ମିଳିଛି ।
ସେପଟେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ତାର ସାଙ୍ଗଠନିକ କାର୍ଯ୍ୟକୁ ତ୍ବରାନ୍ବିତ କରିଛି। ପୂର୍ବରୁ ବିଭିନ୍ନ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ଘୋଷଣା କରିସାରିଥିବା ବିଜେପି ପ୍ରଥମ କରି ସହରାଞ୍ଚଳ, ପଞ୍ଚାୟତ, ଏବଂ ସୀମା ସୁରକ୍ଷା କମିଟି ନାଁରେ ୩ ନୂଆ ମୋର୍ଚ୍ଚା ଘୋଷଣା କରିଛି । ସହରାଞ୍ଚଳ କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ , ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ, ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର , ପଞ୍ଚାୟତ କମିଟି ଅଧ୍ୟକ୍ଷଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡାକୁ ଦାୟିତ୍ବ ମିଳିଛି । ସେମିତି ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ତଥା ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତିଙ୍କୁ ଦାୟିତ୍ବ ଦେଇଛି ଦଳ । ଆସନ୍ତା କାଲି ଦଳର କାର୍ଯ୍ୟକାରୀଣୀ ବସୁଛି । ଏହି ବୈଠକରେ ଦଳ ପୌର ପଞ୍ଚାୟତ ନିର୍ବାଚନ ଲାଗି ତାର ରଣନୀତି ବୁଥ ସ୍ତରରୁ ସଙ୍ଗଠନକୁ ବଢାଇବାକୁ ଲକ୍ଷ୍ୟ ରଖିଛି । ସେପଟେ କଂଗ୍ରେସ ଦୁଇ ଦିନ ତଳେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ବନ୍ଦିତା ପରିଡାଙ୍କ ନାଁରେ ମୋହର ମାରି ଚୁପ ବସିଛି।