ଭୁବନେଶ୍ୱର, ୨୬/୦୨ : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏବେ ଖାଲି ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ଖୁବଶୀଘ୍ର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ । ସେହିପରି କଂଗ୍ରେସ ମଧ୍ୟ ପ୍ରାର୍ଥୀ ଦେବା ପାଇଁ ଜାତୀୟ ସ୍ତରର ନେତାଙ୍କ ସହିତ ଆଲୋଚନା କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯିବେ । ଓଡ଼ିଶା ଗସ୍ତରେ ଥିବା ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ ଦଳ ଖୁବ ଶୀଘ୍ର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ । କୋର୍ କମିଟି ବୈଠକ ଶେଷ ହୋଇଛି । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯାଇଛି । ଆସନ୍ତାକାଲି ସଂସଦୀୟ କମିଟି ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଦଳ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ । ଜିତିବାର ଆଶା ନ ଥିବା ସତ୍ତ୍ୱେ କଂଗ୍ରେସ ମଧ୍ୟ ରାଜ୍ୟସଭା ନିର୍ବାଚନରେ ଭାଗ ନେବ । ସେଥିପାଇଁ ଦଳର ସଭାପତି ଭକ୍ତ ଚରଣ ଦାସ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଦିଲ୍ଲୀ ଗସ୍ତ କରିବେ । ହାଇକମାଣ୍ଡଙ୍କ ସହିତ ଆଲୋଚନା ପରେ ଆସନ୍ତା ୨୮ ତାରିଖ ଦିନ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ବିଜେଡ଼ି ସହିତ ମିଶି ପ୍ରାର୍ଥୀ ଦେବ ବୋଲି ଭକ୍ତ କହିଥିଲେ । କିନ୍ତୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ଯାଏ ତାଙ୍କୁ ଭେଟିବାକୁ ସମୟ ଦେଇ ନାହାଁନ୍ତି ।
ଏପ୍ରିଲରେ ରାଜ୍ୟସଭାର ଓଡ଼ିଶାର ୪ଟି ଆସନ ଖାଲି ହେଉଛି । ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଓ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେବେ ବିଧାନସଭା ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି 2ଟି ଆସନ ହାତେଇବ । ସେହିପରି ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ମଧ୍ୟ ଗୋଟିଏ ଆସନ ହାତେଇବ । ଆଉ ଗୋଟିଏ ଆସନ ଝୁଲାରେ ରହୁଛି । ସେହି ଆସନ କାହା ନିକଟକୁ ଯିବ ତାକୁ ନେଇ ଅଙ୍କ କଷା ଚାଲିଥିବାବେଳେ ଏଯାଏ ଭାଗ ଛିଡ଼ୁ ନାହିଁ । ରାଜ୍ୟସଭାରେ ୧୦ଟି ରାଜ୍ୟର ଖାଲି ହେବାକୁ ଥିବା ୩୭ ଆସନ ପାଇଁ ନିର୍ବାଚନ ହେବ । ଆସନ୍ତା ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲ ଜାରି ରହିବ । ମାର୍ଚ୍ଚ ୬ ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ମାର୍ଚ୍ଚ ୯ରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏହା ପରେ ୧୬ ମାର୍ଚ୍ଚରେ ନିର୍ବାଚନ ଅନୁଷ୍ଠିତ ହେବେ । ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ମାର୍ଚ୍ଚ ୨୦ରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।