ଆଜି BJPର ୪୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୬/୪ : ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ବହୁ ବରିଷ୍ଠ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତା ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚାଯିବା ସହ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନିଆଯାଇଛି ବୋଲି ରାଜ୍ୟ ସଭାପତି କହିଛନ୍ତି । ୨୦୨୪ ପାଇଁ ରାଜ୍ୟ ବିଜେପି ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି । ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସିବେ ।

କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଏ ବିଷୟରେ ଆଲୋଚନା କରାଯିବ । ସେହିପରି ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି । ସେ କହିଛନ୍ତି ଯେ ବିକାଶକୁ କେବେ ବିରୋଧ କରିନାହୁଁ । ଦେଶର ଆଇନ କାନୁନ ଅନୁଯାୟୀ କାମ ହେବା ଆବଶ୍ୟକ । ଦେଶର ସମ୍ବିଧାନ ଅଛି, ଆଇନ ଅଛି । ଯେଉଁମାନେ ସେ ଦାୟିତ୍ବ ବହନ କରିଛନ୍ତି ସେମାନେ ଏନେଇ ଚିନ୍ତା କରିବେ ।