ନୂଆଦିଲ୍ଲୀ,୨୬/୬: ଆସନ୍ତା ବର୍ଷ ଦେଶରେ ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ଆଜି ପାର୍ଟିର ବରିଷ୍ଠ ନେତା ମାରାଥନ ବୈଠକ କରିଛନ୍ତି। ବୈଠକରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ପୂର୍ବତନ ଅଧ୍ୟକ୍ଷ ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଅନେକ ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ଯୋଗ ଦେଇଛନ୍ତି। ପାଞ୍ଚ ରାଜ୍ୟରେ ବିଧାନସଭା ପାଇଁ ପ୍ରସ୍ତୁତି ଥିଲା ବୈଠକର ମୁଖ୍ୟ ଏଜେଣ୍ଡା। ଏଥିସହ ରାଜ୍ୟଗୁଡିକରେ କେନ୍ଦ୍ର ଯୋଜନାର କ୍ରିୟାନ୍ଵୟନ ଉପରେ ମଧ୍ୟ ଆଲୋଚନା ହୋଇଛି।
ପାର୍ଟି ନେତାଙ୍କ ଅନୁଯାୟୀ, ବୈଠକରେ ସଭାପତି ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବ୍ୟତୀତ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ସ୍ମୁତି ଇରାନୀ ଓ କିରେନ ରିଜିଜୁଙ୍କ ପରି ମନ୍ତ୍ରୀ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଆସନ୍ତାବର୍ଷ ଦେଶରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
ପଞ୍ଜାବକୁ ବାଦ୍ ଦେଲେ ବାକି ଚାରି ରାଜ୍ୟରେ ବିଜେପି କ୍ଷମତାରେ ଅଛି। ଦଳ ପୁଣି ଥରେ ଏହି ରାଜ୍ୟଗୁଡିକରେ କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ନିର୍ବାଚନରେ ଭଲ ଫଳାଫଳକୁ ନେଇ ବିଜେପି କେତେ ସତର୍କ ଓ ସଚେତନ ତାହା ମାରାଥନ ବୈଠକରୁ ଜଣା ପଡୁଛି। ରାଜନୈତିକ ଭବିଷ୍ୟତ ମଜବୁତ କରିବା ପାଇଁ ବିଜେପିକୁ ଉତ୍ତର ପ୍ରଦେଶରେ ଦମଦାର ପ୍ରଦର୍ଶନ କରିବାକୁ ପଡିବ।