ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ରାଜ୍ୟର ମତଦାତାଙ୍କୁ ଆକୃଷ୍ଟ କରିବାକୁ କୌଣସି ପ୍ରକାରର ସୁଯୋଗ ହାତଛଡା କରୁ ନାହାନ୍ତି। ଇତି ମଧ୍ୟରେ କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ନିଆରା ପଦକ୍ଷେପ ଉଠାଇଛି। ଦଳ ତେଲୁଗୁର ବ୍ଲକବଷ୍ଟର ଫିଲ୍ମ ‘ଆରଆରଆର’ର ଓସ୍କାର ପ୍ରାପ୍ତ ଗୀତ ନାଟୁ ନାଟୁର ରିମିକ୍ସ ଜାରି କରିଛି। ସଙ୍ଗୀତର ରିମିକ୍ସ ସଂସ୍କରଣରେ ନାଟୁ ନାଟୁ ସ୍ଥାନରେ ମୋଦୀ ମୋଦୀ ସଂଯୋଜନା କରାଯାଇଛି। ଏହି ସଙ୍ଗୀତ ଜରିଆରେ ଗତ ପାଞ୍ଚ ବର୍ଷରେ ରାଜ୍ୟ ସରକାରଙ୍କ ଉପଲବ୍ଧି ବଖଣା ଯାଇଛି।
ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ଭିଡିଓରେ କିଛି ଯୁବକ ରିମିକ୍ସ କରାଯାଇଥିବା ନାଟୁ ନାଟୁ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ଏଥିରେ ଶିବମୋଗା ବିମାନବନ୍ଦର, ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ, ମେଟ୍ରୋ ଲାଇନ ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ବାରୋପ କରାଯାଇଛି।
କର୍ଣ୍ଣାଟକର ସ୍ବାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ଟ୍ବଟରରେ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆମ ଡବଲ ଇଞ୍ଜିନ ସରକାରଙ୍କ ଉଦ୍ୟମରେ ରାଜ୍ୟର ଉଲ୍ଲେଖନୀୟ ଉନ୍ନତି ଘଟିଛି। କର୍ଣ୍ଣାଟକ ବିକାଶ ଉତ୍ସବକୁ ଏହି ଅଦ୍ଭୁତ ଗୀତ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇବାର କାମ କରାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୮୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି।