ହତ୍ୟା ମାମଲାରେ ବିଜେପି ବିଧାୟକ ଗିରଫ

ନୂଆଦିଲ୍ଲୀ, ୧୩/୦୨ : ହତ୍ୟା ମାମଲାରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ବାଇରାଥି ବାସବରାଜ ଗିରଫ ହୋଇଛନ୍ତି । ତାଙ୍କୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ହେପାଜତକୁ ନେଇଛି ସିଆଇଡି । ୨୦୨୩ ଜୁଲାଇ ୧୫ରେ ଉଲସୁରରେ ହୋଇଥିବା ରିଅଲ ଇଷ୍ଟେଟ୍ ବ୍ୟବସାୟୀ ବିକଲୁ ଶିବଙ୍କ ହତ୍ୟାର ତଦନ୍ତ ପରେ ଘଟଣାରେ ବିଜେପି ବିଧାୟକ ବାଇରାଥି ବାସବରାଜ ଗିରଫ ହୋଇଛନ୍ତି। ଗିରଫ ପରେ CID ଅଧିକାରୀମାନେ ଦାବି କରିଛନ୍ତି ଯେ, ହତ୍ୟାକାଣ୍ଡରେ ବାସବରାଜ ଏବଂ ମୁଖ୍ୟ ଅଭିଯୁକ୍ତ ଜଗଦୀଶ ଓରଫ ଜଗ୍ଗାଙ୍କ ସମ୍ପୃକ୍ତି ଥିବା ଯଥେଷ୍ଟ ପ୍ରମାଣ ମିଳିଛି। ନିର୍ଦ୍ଧାରିତ ୨୪ଘଣ୍ଟା ସମୟ ମଧ୍ୟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିବା ପୂର୍ବରୁ ସମସ୍ତ ଆଇନଗତ ପ୍ରକ୍ରିୟା, ଡାକ୍ତରୀ ପରୀକ୍ଷା ଏବଂ ବାଧ୍ୟତାମୂଳକ ଔପଚାରିକତା ସମ୍ପୂର୍ଣ୍ଣ କରାଯିବ। ତଦନ୍ତକାରୀମାନେ ବିଧାୟକଙ୍କର ଅଭିଯୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ସୂଚାଉଥିବା କଲ୍ ଡିଟେଲ୍ ରେକର୍ଡ, ଡିଜିଟାଲ୍ ଯୋଗାଯୋଗ, ଫଟୋଗ୍ରାଫ୍ ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ଥିବା କହିଛନ୍ତି। ତଦନ୍ତ ସଂସ୍ଥା ଘଟଣାରେ ମୃତକଙ୍କ ଦ୍ୱାରା ପୂର୍ବରୁ ହୋଇଥିବା ଅଭିଯୋଗଗୁଡ଼ିକର ମଧ୍ୟ ଯାଞ୍ଚ କରୁଛି, ଯେଉଁଥିରେ ସେ ସମ୍ପତ୍ତି ବିବାଦ ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦାବି କରିଥିଲେ। ତଦନ୍ତ ପାଇଁ ବିଧାୟକଙ୍କୁ ହେପାଜତକୁ ନେଇ ପଚରାଉଚରା ଜରୁରୀ ଯୁକ୍ତି ଦେଇ CID ପୂର୍ବରୁ ଦିଆଯାଇଥିବା ଆଗୁଆ ଜାମିନକୁ ବାତିଲ କରିବା ପାଇଁ କୋର୍ଟକୁ ଆବେଦନ କରିଥିଲା। ବିଧାୟକଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟରେ ହୋଥିବା ଆଗୁଆ ଜାମିନ ବାତିଲ ପରେ ତାଙ୍କୁ ଗିରଫ କରାଯାଇଛି। ମାମଲାଟି ପ୍ରାରମ୍ଭରେ ସ୍ଥାନୀୟ ପୋଲିସ ଦ୍ୱାରା ତଦନ୍ତ କରାଯାଇଥିଲା ଏବଂ ପରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT)କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପରେ ଏହାର ସମ୍ବେଦନଶୀଳତା ଏବଂ ରାଜନୈତିକ ସମ୍ପର୍କ ଯୋଗୁଁ CIDକୁ ହସ୍ତାନ୍ତର କରାଯାଇଛି।