ନୂଆଦିଲ୍ଲୀ,୧୫ /୧୧ : ବିଜେପି ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଦେଶସାରା ଗସ୍ତ କରିବାକୁ ଯାଉଛନ୍ତି। ଦେଶରେ ହୋଇଥିବା ଉପନିର୍ବାଚନରେ ଦଳକୁ ବିପୁଳ ସଫଳତା ମିଳିବା ପରେ ଖୁବ୍ ଶୀଘ୍ର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସାରା ଦେଶରେ ଶହେ ଦିନିଆ ‘ରାଷ୍ଟ୍ରୀୟ ବିସ୍ତୃତ ପ୍ରବାସ’ ଯୋଜନାରେ ପ୍ରତି ରାଜ୍ୟ ଗସ୍ତ କରିବେ।
ସବୁଠାରୁ ବଡ଼ କଥା ହେଲା ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଜିତିନଥିବା ଆସନରେ କିପରି ୨୦୨୪ରେ ବିଜୟ ଲାଭ କରିବ ସେଥିନେଇ ଯୋଜନା ପ୍ରସ୍ତୁତ କରିବା ମଧ୍ୟ ଜେ ପି ନଡ୍ଡାଙ୍କ ଉଦ୍ଦେଶ୍ୟ ରହିଥିବା କୁହାଯାଉଛି। ଏଥିଲାଗି ବିଭିନ୍ନ ରାଜ୍ୟକୁ ଭିନ୍ନ ଭିନ୍ନ ଶ୍ରେଣୀଭୁକ୍ତ କରାଯାଇଛି। ତାହା ଅନୁଯାୟୀ, ସେ ରାଜ୍ୟମାନଙ୍କରେ ଦୁଇ ବା ତିନି ଦିନ ଯାଏଁ ଗସ୍ତ କରିବେ। ବିଭିନ୍ନ ରାଜ୍ୟରେ ତାଙ୍କର ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାମାନଙ୍କ ପାଇଁ ଯେଉଁ ବୈଠକ ବା ସମ୍ମିଳନୀ ଆୟୋଜିତ ହେବ, ସେଥିରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏକ ବଡ ହଲରେ ୨୦୦ରୁ ଅଧିକ ଲୋକଙ୍କୁ ଏକାଠି ନ କରିବାକୁ ଅନୁରୋଧ କରାଯାଇଛି।