ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଟକ ବନ୍ଦ, ଏଣେ ଲଗାଣ ବର୍ଷା ଯୋଗୁଁ ସହର ଜଳମଗ୍ନ

କଟକ,୧୩/୯: ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ସହରରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ପାର୍ବଣରେ ୪ ଫୁଟିଆ ମୂର୍ତ୍ତି ଉଚ୍ଚତା ରଖିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଉପରେ କଟକରେ ବିରୋଧ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି ଆଜି କଟକ ନଗର ବିଜେପି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ କହିଛନ୍ତି ଯେ ଜନତାଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି। ଆମ୍ବୁଲାନ୍ସ ଓ ଅନ୍ୟ ସମସ୍ତ ଜରୁରୀ ସେବା ଅବ୍ୟାହତ ରହିଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ମା’ଙ୍କ ଦର୍ଶନ ପାଇଁ ସମସ୍ତଙ୍କୁ ଅନୁମତି ପାଇଁ ଦାବି କରାଯାଉଥିବା ଶ୍ରୀ ବଡ଼ୁ କହିଛନ୍ତି।

ଏଣେ ଲଗାଣ ବର୍ଷା ଯୋଗୁଁ କଟକ ସହର ଜଳମଗ୍ନ ହୋଇଯାଇଛି। ଦୁଇଦିନ ହେବ ଲଘୁଚାପ ଯୋଗୁଁ ବର୍ଷା ଜାରି ରହିଥିବାବେଳେ କଟକ ସହରର ଅଧିକାଂଶ ଅଞ୍ଚଳ ଏବେ ପାଣି ଘେରରେ। ସହରର ପ୍ରମୁଖ ଅଞ୍ଚଳ ବାଦାମବାଡ଼ି ଠାରେ ବର୍ଷା ଯୋଗୁଁ ପାଣି ଜମି ଯାତାୟତ ଏକ ପ୍ରକାରର ଠପ୍ ହୋଇଛି। ସେହିଭଳି ସହରର ଅନ୍ୟ ଅଞ୍ଚଳମାନଙ୍କରେ ଘରେ ପଶିଛି ପାଣି। ଏହାଫଳରେ ସହରବାସୀ ଭୟଭୀତ ହୋଇ ରହିଥିବାବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି।