ସାମ୍ବାଦିକ ସମ୍ମିଳନୀରେ ଛତୁଆ ଓଜନ କଲା ବଜେପି

ଭଦ୍ରକ,୫ /୯ : ନିର୍ଦ୍ଧାରିତ ଓଜନରୁ କମ ଓଜନର ଛତୁଆ ବଣ୍ଟନ ଓ ନିମ୍ନମାନର ଅପମିଶ୍ରିତ ଛତୁଆ ବଣ୍ଟନ କରୁଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀ। ଏହାର ପ୍ରମାଣ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଓଜନ କଣ୍ଟାରେ ଛତୁଆ ଓଜନ କରି ଦେଖାଇଛି ବିଜେପି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଅଙ୍ଗନୱାଡି ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲା ବଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ମନମୋହନ ସାମଲ କହିଛନ୍ତି ବିଜେପି ଏବେ ଜିଲ୍ଲାର ଚାନ୍ଦବାଲି ବ୍ଲକର ଏହି ଦୁର୍ନୀତିର ଟ୍ରେଲର ଦେଖାଇଛି ବିଜେପି, ଆଗକୁ ଫୁରା ଫିଲ୍ମ ଦେଖାଇବ।

ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଅଭିଯୋଗ ଅନୁଯାୟୀ ସରକାର ମହିଳା ଓ ଶିଶୁ ବିକାଶ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଟଙ୍କା ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଶିଶୁ, ଗର୍ଭବତୀ ମହିଳା ମାନଙ୍କ ପୃଷ୍ଟି ସାଧନ ନିମନ୍ତେ ଛତୁଆ, ସୁଜି, ଅଣ୍ଡା ସମେତ ବିଭିନ୍ନ ପୃଷ୍ଟି କର ଖାଦ୍ୟ ଦେଉଛନ୍ତି । କିନ୍ତୁ ଏହି ପୃଷ୍ଟି ସାଧନ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରାଯାଉଛି। ନିମ୍ନ ମାନର ଅପମିଶ୍ରିତ ଓ ନିର୍ଦ୍ଧାରିତ ଓଜନ ଠାରୁ କମ ଖାଦ୍ୟ ଦୀର୍ଘ ଦିନ ଧରି ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ଦିଆଯାଉଛି।

ଏହା ଦ୍ୱାରା ଶିଶୁ ଓ ମହିଳା ମାନଙ୍କ ପୃଷ୍ଟି ସାଧନ ହେବା ପରିବର୍ତ୍ତେ ମହିଳା୦- ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି । ଏମିତିକି ସରକାରଙ୍କ ନିୟମ ଅନୁଯାୟୀ, ଗର୍ଭବତୀ ଓ ପ୍ରସୂତିଙ୍କ ନିମନ୍ତେ ୪ କିଲୋ ୪୦୦ ଗ୍ରାମ ଛତୁଆ ଦେବାର ନିୟମ ଥିଲେ ମଧ୍ୟ ଚାନ୍ଦବାଲି ବ୍ଲକ ରେ ୩ କିଲୋ ୫୦୦ ଗ୍ରାମ ଛତୁଆ ଦିଆଯାଉଥିବା ଅଭିଯୋଗ ହୋଇଛି। ଛତୁଆ ବାଟମାରଣା କରି ଲୋକଙ୍କୁ କମ ପରିମାଣରେ ଯୋଗାଉଥିବା ସଂସ୍ଥା ଓ ସ୍ଵୟଂ ସହାୟକ ଗୋଷ୍ଠୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯଦି ଏହାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ନେତା ମନମୋହନ ସାମଲ ଚେତାବନୀ ଦେଇ କହିଛନ୍ତି ଯେ ଜିଲ୍ଲାର ଚାନ୍ଦବାଲି ବ୍ଲକ ର ଏହି ଦୁର୍ନୀତିର ଟ୍ରେଲର ଦେଖାଇଛି ବିଜେପି । ଆଗକୁ ପୂରା ଫିଲ୍ମ ଦେଖାଇବ।