ଲକ୍ଷଣ ବିହୀନ କରୋନା ସଂକ୍ରମିତଙ୍କ ନିମନ୍ତେ ବିଏମସି ଜାରି କଲା ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର, ୧୧/୭ : କରୋନା ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ଲକ୍ଷଣ ନାହିଁ ବା ଆଂଶିକ ଲକ୍ଷଣ ଅଛି, ଏଭଳି କ୍ଷେତ୍ରରେ ଆଉ ହସ୍ପିଟାଲ ନିଆଯିବନି । ଆକ୍ରାନ୍ତ ନିଜ ଘରେ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସା ହେବେ । ଏ ନେଇ ବିଏମ୍‌ସି ନୂଆ ଏସ୍‌ଓପି ବା ନିର୍ଦ୍ଦେଶନାମା ଜାରି କରିଛି । ସହରର ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି ।

ଏସ୍‌ଓପି ଅନୁସାରେ, ବସ୍ତି ଅଞ୍ଚଳକୁ ବାଦ୍‌ ଦେଇ ବାକି ଅଞ୍ଚଳରେ ଏହି ନୂଆ ଏସ୍‌ଓପି ଲାଗୁ ହେବ । କୌଣସି ଆକ୍ରାନ୍ତଙ୍କ ଲକ୍ଷଣ ନଥିଲେ ବା ଆଂଶିକ ଲକ୍ଷଣ ଥିଲେ ତାଙ୍କୁ ଘରେ ରହିବାକୁ ଅନୁମତି ଦିଆଯିିବ । ତେବେ ଏଥିପାଇଁ ନିଜ ଘରେ ହୋମ୍‌ ଆଇସୋଲେସନ୍‌ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ । ତେବେ କରୋନାର ଚିକିତ୍ସା କରୁଥିବା ଡାକ୍ତର ରୋଗୀକୁ ଯାଞ୍ଚ ପରେ ଲକ୍ଷଣହୀନ ବା ଆଂଶିକ ଲକ୍ଷଣ ଥିବା ପ୍ରମାଣପତ୍ର ଦେବା ପରେ ହିଁ ତାଙ୍କୁ ଘରେ ରହିବାକୁ ଅନୁମତି ମିଳିପାରିବ।

ଆକ୍ରାନ୍ତ ବ୍ୟକ୍ତି ହୋମ୍‌ ଆଇସୋଲେସନ୍‌ରେ ରହିବେ ଓ ତାଙ୍କ ପୂରା ପରିବାର ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବେ। ଏଥିପାଇଁ ଆବଶ୍ୟକ ସୁବିଧା ଅଛି କି ନା, ତାକୁ ଯାଞ୍ଚ ପରେ ରହିବାକୁ ସର୍ତ୍ତମୂଳକ ଅନୁମତି ମିଳିବ। ଆକ୍ରାନ୍ତଙ୍କ ଚିକିତ୍ସା ଦାୟିତ୍ୱରେ ଜଣେ କେୟାର ଗେଭର୍‌ ରହିବେ। କୋଭିଡ୍‌ ହସ୍ପିଟାଲ ସହ ଯୋଗାଯୋଗରେ ରହି କେୟାର ଗିଭର୍‌ ୨୪ଘଣ୍ଟିଆ ରୋଗୀଙ୍କ ଚିକିତ୍ସା ଦାୟିତ୍ୱ ବୁଝିବେ। ଆକ୍ରାନ୍ତ ମଧ୍ୟ ନିଜ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ନିୟମିତ ବିଏମ୍‌ସିକୁ ଅବଗତ କରିବେ । ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଏଚ୍‌ଆଇଭି, କ୍ୟାନସର ଓ କୌଣସି ଅଙ୍ଗ ପ୍ରତିରୋପଣ ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ଅନୁମତି ଦିଆଯିିବନି । ସେହିଭଳି ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ହୃଦ୍‌ରୋଗ, ଫୁସଫୁସ୍‌, ବୃକକ୍‌ ଓ ଯକୃତ ଜନିତ ରୋଗରେ ଆକ୍ରାନ୍ତ ୬୦ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ହେଲେ ଘରେ ରହି ଚିକିତ୍ସା ପାଇଁ ଅନୁମତି ଦିଆଯିବନି ।

ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତ ଓ ତାଙ୍କ ପରିବାର ପାଖକୁ ୧୯୨୯ ପକ୍ଷରୁ ନିୟମିତ ଫୋନ୍‌ ଯିବ। ସେମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବେ। ଯଦି କୌଣସି ସମୟରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ବିଗିଡିଲା ବା କୌଣସି ଲକ୍ଷଣ ଦେଖା ଦେଲା ତାଙ୍କ ପରିବାର ଲୋକେ ତୁରନ୍ତ ୧୯୨୯କୁ ଫୋନ୍‌ କରିବେ। ଏଡିୟୁପିଏଚ୍‌ଓଙ୍କୁ ୯୯୩୭୫୪୯୯୩୨ଙ୍କୁ ଯୋଗାଯୋଗ କରି ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ନେଇପାରିବେ। ତେବେ ଡାକ୍ତରଙ୍କ ପରାମର୍ଶ ପରେ ଆକ୍ରାନ୍ତଙ୍କ ଦାୟିତ୍ୱରେ ଥିବା କେୟାର ଗିଭର୍‌ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଖାଇବେ ବୋଲି ବିଏମ୍‌ସି ପକ୍ଷରୁ ଜାରି ଏସ୍‌ଓପିରେ କୁହାଯାଇଛି।