ଭୁବନେଶ୍ବର,୧୯ /୧: କରୋନା ମହାମାରୀଠୁ ବିଏମ୍ସିର ଟିକସ ଆଦାୟ ଠିକ ଭାବେ ହୋଇପାରୁନି । ୱାର୍ଡ ଅଫିସର, ନିଯୁକ୍ତ ଠିକା ସଂସ୍ଥା (ଟିଜି ସ୍ବୀକୃତି ଗ୍ରୁପ୍) ଏବଂ ଜୋନାଲ ଡେପୁଟି କମିସନର(ଜେଡିସି) ଟିକସ ଆଦାୟ କାମରୁ ନିଜରୁ ଦୂରେଇ ରଖିବାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଉନି। ଅନ୍ ଲାଇନ୍ରେ ଟିକସ ଆଦାୟ ହେଉଥିଲେ ବି ବ୍ୟବସ୍ଥାରେ ତ୍ରୁଟି ଏବଂ କରଦାତା ସଚେତନ ନ ଥିବାରୁ ବିଏମ୍ସି ଖାତାକୁ ରାଜସ୍ବ ଆସୁନାହିଁ। ଏନେଇ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କ୍ଷୁବ୍ଧ ହୋଇଛନ୍ତି। ରାଜସ୍ବ ସଂଗ୍ରହ ଉପରେ ଧ୍ୟାନ ଦିଅ, ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଡିସିଙ୍କୁ ତାଗିଦ୍ କରିଛନ୍ତି।
ଚଳିତବର୍ଷ ଆରମ୍ଭ ଯାଏ ଉତ୍ତର ଜୋନ୍ ନିମନ୍ତେ ହୋଲ୍ଡିଂ ୫୪.୯୬ କୋଟି ଧାର୍ଯ୍ୟ ହୋଇଥିବାବେଳେ ସେଥିରୁ ମାତ୍ର ୬.୧୦କୋଟି ସଂଗ୍ରହ ହୋଇଛି। ସେହିପରି ଦକ୍ଷିଣ-ପୂର୍ବ ଜୋନରେ ଧାର୍ଯ୍ୟ ୪୩.୨୫ କୋଟିରୁ ୫.୧୧ କୋଟି ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍ରୁ ଧାର୍ଯ୍ୟ ୪୩.୩୬ କୋଟିରୁ ମାତ୍ର ୨.୬୮ କୋଟି ଟଙ୍କାର ହୋଲ୍ଡିଂ ଟିକସ ଆଦାୟ ହୋଇଛି। ଯାହାକି ମୋଟ ୧୪୧.୫୭ କୋଟିରୁ ୧୩.୮୯ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି।