ରାଜଧାନୀରେ ଅବାଧ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି : ବିଏମସିର ଚଢ଼ାଉ

ଭୁବନେଶ୍ୱର,୧ /୪: (ପ୍ରଦୀପ୍ତ କୁମାର ଦାସ) – ଭୁବନେଶ୍ୱର ମହାନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜଧାନୀର କେତେକ ସ୍ଥାନରେ ଅସ୍ୱାସ୍ଥ୍ୟ କର ଖାଦ୍ୟ ବିକ୍ରିବଟା ବିରୋଧରେ ଚଢ଼ାଉ କରାଯାଇଛି । ଜନସାଧାରଣଙ୍କ ପକ୍ଷରୁ ନିକଟରେ ହୋଇଥିବା ଏଭଳି ଅଭିଯୋଗ ନେଇ ସିଟି ହେଲଥ ଅଫିସର ଡା.ବସନ୍ତ କୁମାର ମିଶ୍ରଙ୍କ ନିର୍ଦେଶକ୍ରମେ ସହରର ବିଭିର୍ନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା । ଫୁଡ ସେଫଟି ଅଫିସର ସତ୍ୟ ପଟେଲଙ୍କ ନେତୃତ୍ୱରେ ସମ୍ପୃକ୍ତ ସ୍କ୍ୱାର୍ଡ ସ୍ଥାନୀୟ ରାଜମହଲ ଛକରେ ଥିବା ଗାଙ୍ଗୁରାମ ମିଠା ଦୋକାନ,ବମିଖାଲ ଛକ ସ୍ଥିତ ଓଡିଶା ହୋଟେଲ,ନୂଆପଲ୍ଲୀ ଅଂଚଳରେ ଥିବା ମା ଢାବା,ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ଏସକେ ରେସଟୁରାଣ୍ଟ ଓ ଅନ୍ୟ କେତେକ ହୋଟେଲରେ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ସହ ଯାଞ୍ଚ କଲା ବେଳେ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ନିମ୍ନମାନର ଖାଦ୍ୟ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଥିବା ଏହି ସ୍କ୍ୱାର୍ଡ ଠାବ କରିଥିଲା ।ତଦନୁଯାୟୀ ଖାଦ୍ୟ ନିରାପତ୍ତା ଆଇନର ଧାରା ୬୯କୁ ଭିତ୍ତି କରି ଅଭିଯୁକ୍ତ ବ୍ୟବସାୟୀମାନଙ୍କ ଠାରୁ ଆଠ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯିବା ସହ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା। ଆଗକୁ ନିୟମିତ ବ୍ୟବଧାନରେ ବାସି,ଦୂଷିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପାନୀୟ ବିକ୍ରିବଟା କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଏପରି ଚଢ଼ାଉ ଜାରିରହିବ ବୋଲି ବିଏମସି ସହର ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ।