ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ସ୍ଵତନ୍ତ୍ର ବ୍ୟବସ୍ଥା : ବିଏମସି କମିଶନର ସଞ୍ଜୟ ସିଂହ

ଭୁବନେଶ୍ଵର,୧୫/୫: ରାଜଧାନୀ ଭୁବନେଶ୍ଵର କରୋନାର କେନ୍ଦ୍ର ସ୍ଥଳ ପାଲଟିଛି। ଏଠାରେ ଦୈନିକ ୧୦୦୦ରୁ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଟେଷ୍ଟିଂ ପ୍ରତି ଅଧିକ ଗୁରୁତ୍ଵାରୋପ କରିଛି ଭୁବନେଶ୍ଵର ମହାନଗର ନିଗମ। ସଂକ୍ରମଣ ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ସ୍ଵତନ୍ତ୍ର ବ୍ୟବସ୍ଥା କରିଛି । ସୋମବାରଠୁ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରାଯିବା ସହ ଟିକା କେନ୍ଦ୍ରକୁ ନେବା ଆଣିବାରେ ସହଯୋଗ କରିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ ।

ରାଜ୍ୟରେ ଲକ୍‌ଡାଉନ୍‌ ଫଳରେ ବରିଷ୍ଠ ନାଗରିକଙ୍କ ପାଇଁ ହସ୍ପିଟାଲ କିମ୍ବା ଟେଷ୍ଟିଂ କେନ୍ଦ୍ରକୁ ଆସି କରୋନା ଟେଷ୍ଟ କରିବାରେ ଅସୁବିଧା ହେଉଛି। ତେଣୁ ଏବେ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ ବୋଲି ସଞ୍ଜୟ ସିଂହ କହିଛନ୍ତି। ଲକ୍ଷଣ ଦେଖା ଦେଲେ ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ତଥ୍ୟ ଦେବେ। ନାଁ ଏବଂ ନିଜର ଠିକଣା ଦେଲେ ଭ୍ୟାନ ଯାଇ ଘରୁ ସାମ୍ପୁଲ ସଂଗ୍ରହ କରାଯିବ । ଏହାପତର ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ।

ଟିକା ପାଇଁ ସମସ୍ୟାରେ ପଡୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ବ୍ୟବସ୍ଥା କରିଛି। ବିଶେଷ କରି ଘରେ ଏକୁଟିଆ ଥିବା ବରିଷ୍ଠ ନାଗରିକଙ୍କୁ ଏହି ବ୍ୟବସ୍ଥା ପ୍ରଦାନ କରାଯିବ। ୧୯୨୯କୁ ଫୋନ୍ କଲେ ଉକ୍ତ ବ୍ୟକ୍ତିଙ୍କୁ ଘରୁ ଟିକା କେନ୍ଦ୍ର ଅଣାଯିବ। ଟିକା ନେବା ପରେ ପୁଣି ବ୍ୟକ୍ତିଙ୍କୁ ଘରେ ଛାଡି ଦିଆଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।