ଭୁବନେଶ୍ୱର,୯/୧୧ : (ପ୍ରଦୀପ୍ତ କୁମାର ଦାସ) – ବିଏମସି ପକ୍ଷରୁ ଭୁବନେଶ୍ୱର ସ୍ମାର୍ଟ ସହରବାସୀ ନାଗରିକ ମାନଙ୍କ ନିମନ୍ତେ ପ୍ରଚଳିତ ଷ୍ଟ୍ରିଟ ଲାଇଟ ସେବା ସମୟ ସୂଚୀରେ ଗତ କିଛି ଦିନ ହେଲା ଘୋର ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ତାହାହେଲା ଷ୍ଟ୍ରିଟଲାଇଟ ଜଳାଇବା ଓ ଲିଭାଇବା ସମୟ ସୂଚୀ ନିର୍ଦ୍ଧାରଣ ବ୍ୟବସ୍ଥା ତେବେ ଏହି ବ୍ୟବସ୍ଥାରେ ଜନସାଧାରଣଙ୍କୁ ଉତ୍ତମ ମାନର ରାସ୍ତା ଆଲୋକ ସେବା ଯୋଗାଇଦେବାର ବ୍ୟବସ୍ଥା ଅନ୍ତର୍ଭୁକ୍ତ । ମାତ୍ର କିଛିଦିନ ହେଲା ଦେଖାଯାଉଛି ଯେ ଏହାର ବାସ୍ତବ ଆବଶ୍ୟକତାକୁ ଅଣଦେଖା କରାଯାଇ ସନ୍ଧ୍ୟା ଓ ସକାଳ ସମୟରେ ଆଲୁଅ ଜଳାଇବା ଓ ଲିଭାଇବା ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଘଟିବା ।
ଏହି କ୍ରମରେ ସନ୍ଧ୍ୟା ପୂର୍ବରୁ ଉକ୍ତ ଲାଇଟ ଜଳାଇବା ଓ ସକାଳ ହେଲେ ଲାଇଟ ଲିଭାଇବା ପ୍ରକ୍ରିୟା । କିନ୍ତୁ ବାସ୍ତବ କ୍ଷେତ୍ରରେ ଏବେ ଦେଖା ଯାଉଛି ଯେ ସନ୍ଧ୍ୟା ହୋଇ ଚତୁଃର୍ଦିଗ ଅନ୍ଧକାର ହେବାପରେ ବିଳମ୍ବରେ ଷ୍ଟ୍ରିଟ ଲାଇଟ ଜଳୁଛି ଏବଂ ସେହିପରି ସକାଳ ନହେଉଣୁ ଅନ୍ଧକାର ଘୋଟି ରହିଥିବା ବେଳେ ସେଗୁଡିକୁ ଲିଭାଇଦିଆ ଯାଉଛି । ଯାହାଫଳରେ ସହରବାସୀ ନାଗରିକ ମାନେ ଏପରି ଅନ୍ଧକାରର ସମ୍ମୁଖୀନ ହେବା ସହ ବିଭିନ୍ନ ଅଣନିରାପଦ ସମସ୍ୟାର ଦୁର୍ଦ୍ଦଶା ଭୋଗୁଛନ୍ତି । ତାହା ହେଲା ଏହାର ସୁଯୋଗ ନେଇ ସହରର ବିଭିର୍ନ ୱାର୍ଡ ଅଂଚଳରେ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ଅପରାଧୀମାନେ ସକ୍ରିୟ ରହି ନାନା ଅପରାଧ ଘଟାଉଛନ୍ତି । ଏହାଛଡା ଅନ୍ଧକାରରେ ଯାତାୟାତ ବେଳେ ସହରବାସୀ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।
ତେବେ ଏହି ସେବା ଯୋଗାଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସର୍ବୋପରି ବିଏମସି କର୍ତୃପକ୍ଷଙ୍କୁ ଷ୍ଟ୍ରିଟ ଲାଇଟ ସେବା ଯୋଗାଣ ଜନିତ ଏପରି ସମସ୍ୟାର ଆଶୁ ସମାଧାନ ପାଈଁ ଜନସାଧାରଣଙ୍କ ପକ୍ଷରୁ ଗତ କିଛିଦିନ ହେଲା ବାରମ୍ବାର ଆପତ୍ତି କରାଯାଇ ଆସୁଥିଲେହେଁ ଏହାର ସଠିକ ଭାବେ ସମାଧାନ ହେଉନାହିଁ । ତେଣୁ ଏଭଳି ଜନସ୍ୱାର୍ଥ ସମ୍ବଳିତ ସମସ୍ୟାର ଆଶୁ ସମାଧାନ ଦିଗରେ ଯଥାଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସରକାରଙ୍କ ଜନଶୁଣାଣୀ ଅଭିଯୋଗ ସେବା ବ୍ୟବସ୍ଥା ଜରିଆରେ ମାସେ ପୂର୍ବରୁ ନଗର ଉର୍ନ୍ନୟନ ବିଭାଗକୁ ଆପତ୍ତି କରାଯାଇଥିଲା । ତେବେ ମାସେ ତଳୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଈଁ ବିଏମସି କର୍ତୃପକ୍ଷଙ୍କୁ ଉକ୍ତ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇ ଦିଆଯାଇଥିଲେହେଁ ଅଦ୍ୟାବଧି ଏଥିରେ ସୁଧାର ଆସିନଥିବାରୁ ସହରବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
