ଆମାଜନର ଫୁଟନ୍ତା ନଦୀ

ପେରୁ ଦେଇ ପ୍ରବାହିତ ସୁଦୀର୍ଘ ଆମାଜନ ନଦୀର ଏକ ଉପନଦୀ ହେଉଛି ‘ସାନାୟ-ଟିମ୍ପିସ୍କା’। ଏହାର ପାଣିର ତାପମାତ୍ରା ୪୫-୧୦୦ ଡିଗ୍ରି ରହୁଥିବାରୁ ଏହି ନଦୀକୁ ‘ସୌର ତାପରେ ଫୁଟୁଥିବା ନଦୀ’ କୁହାଯାଏ। ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ନଦୀରେ ପଡ଼ିଲେ ଯେକୌଣସି ଜୀବର ମୃତ୍ୟୁ ସୁନିଶ୍ଚିତ। ନଦୀର ପ୍ରାୟ ଚାରି ମାଇଲ୍ ଦୀର୍ଘ ଅଂଶରେ ପାଣି ଫୁଟନ୍ତା ଅବସ୍ଥାରେ ଥିବା ସହିତ ଜଳପୃଷ୍ଠକୁ ବାଷ୍ପର ଏକ ଆସ୍ତରଣ ଢାଙ୍କି ରହିଥାଏ। କେନ୍ଦ୍ରୀୟ ପେରୁର ମାୟାନ୍ତୁୟାକୁ ନାମକ ଅଞ୍ଚଳର ଆଦିବାସୀମାନେ ଏହି ନଦୀକୁ ସୁରକ୍ଷିତ ରଖିଛନ୍ତି।

ସ୍ଥାନୀୟ କିଂବଦନ୍ତି ଅନୁସାରେ ‘ୟାକୁମାମା’ ନାମ୍ନୀ ବିଶାଳ ସର୍ପ ଦେବୀ ଏହି ଉତ୍ତପ୍ତ ପାଣିକୁ ଜନ୍ମ ଦେଇଥାନ୍ତି। ତେଣୁ ଏହାର ପାଣି ବିଭିନ୍ନ ରୋଗର ଉପଚାର କରିବାକୁ ସକ୍ଷମ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ବାସ। ପୃଥିବୀର ଅନେକ ସ୍ଥାନରେ ଫୁଟନ୍ତା ଜଳାଶୟ ରହିଛି, କିନ୍ତୁ ସେଗୁଡ଼ିକ ସାଧାରଣତଃ ସକ୍ରିୟ ଆଗ୍ନେୟଗିରି ନିକଟରେ ଅବସ୍ଥିତ। ଆଶ୍ଚର୍ଯ୍ୟର କଥା ଯେ ଏହି ନଦୀର ୪୦୦ ମାଇଲ୍ ପରିସୀମା ମଧ୍ୟରେ କୌଣସି ଆଗ୍ନେୟଗିରି ନାହିଁ। ଏହା ସତ୍ତ୍ବେ କେଉଁଠାରୁ ଏତେ ମାତ୍ରାରେ ତାପଜ ଶକ୍ତି ମିଳୁଛି ତାହା ଅସ୍ପଷ୍ଟ ରହିଛି। କିଛି ଭୂବିଜ୍ଞାନୀଙ୍କ ମତ ଯେ ନଦୀ ନିକଟସ୍ଥ ଭୂପୃଷ୍ଠରେ ଫାଟର ଅବସ୍ଥିତି ଯୋଗୁଁ ବର୍ଷା ପାଣି ଭୂଗର୍ଭକୁ ଯାଇ ଉତ୍ତପ୍ତ ହୋଇଥାଏ ଏବଂ ପୁଣି ବିଭିନ୍ନ ଫାଟ ଯୋଗେ ଉପରକୁ ଉଠି ନଦୀରେ ମିଶିଥାଏ।