ବିମାନ ଦୁର୍ଘଟଣା, ୧୫ ମୃତ, ୩୦ ଆହତ

ନୂଆଦିଲ୍ଲୀ, ୨୮/୦୨ : ବଲିଭିଆରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ ମୃତ, ୩୦ ଆହତ ହୋଇଛନ୍ତି । ବଲିଭିଆ ବାୟୁସେନାର ବିମାନଟି ରାଜଧାନୀ ଲାପାଜ ନିକଟ ଏଲ ଅଲଟୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ନୂଆ ବ୍ୟାଙ୍କ ନୋଟ ନିଆଯାଉଥିଲା । ସାମରିକ ବିମାନଟି ସାନ୍ତା କ୍ରୁଜରୁ ଉଡ଼ାଣ ଭରିଥିଲା । ଲ୍ୟାଣ୍ଡିଂ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ରନୱେରୁ ବାହାରି ଆଭେନ୍ୟୁକୁ ଖସି ଯାଇଥିଲା ବୋଲି ଜଣାଯାଇଛି । ଏଥିଯୋଗୁ ଆଭେନ୍ୟୁରେ ଥିବା ବହୁ ଗାଡ଼ି ନଷ୍ଟ ହୋଇଛି । ଦୁର୍ଘଟଣା ପରେ ଏଲ ଅଲଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଛି । ବିମାନରେ ବଲିଭିଆ ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ ନିଆଯାଉଥିଲା । ଖରାପ ପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।