ମୁମ୍ବାଇ, ୧୭/୧୨ : ବଲିଉଡ ଡ୍ରଗ୍ସ୍ ଲିଙ୍କ ମାମଲାରେ ଜଣାଶୁଣା ନିର୍ମାତା ତଥା ନିର୍ଦେଶକ କରଣ ଜୋହରଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ନିଶା ନିବାରଣ ବିଭାଗ । ଏନସିବି ପକ୍ଷରୁ କୁହାଯାଇଛି ଯେ, କରଣ ଜୋହର କୌଣସି ମାମଲାରେ ସଂପୃକ୍ତ ନାହାନ୍ତି କିନ୍ତୁ ଡ୍ରଗ୍ସ୍ ସହିତ ଜଡିତ କିଛି ତଥ୍ୟ ହାସଲ ପାଇଁ ତାଙ୍କୁ ନୋଟିସ କରାଯାଇଛି ।
ସୂଚନା ମୁତାବକ, କରଣଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିନପାରେ । ସେ ତାଙ୍କର କୌଣସି ପ୍ରତିନିଧିଙ୍କୁ ମଧ୍ୟ ପଠାଇପାରନ୍ତି । ୨୦୧୯ ଜୁଲାଇ ମାସରେ କରଣଙ୍କ ଘରେ ହୋଇଥିବା ପାର୍ଟି ବିଷୟରେ କିଛି ତଥ୍ୟ ହାସଲ ପାଇଁ ତାଙ୍କର ଇଲୋକ୍ଟ୍ରାନିକ୍ସ୍ ଉପକରଣକୁ ଯାଞ୍ଚ୍ କରିପାରେ ଏନସିବି ।
କରଣ ଜୋହରଙ୍କୁ ବୁଧବାର ସମନ ପଠାଯାଇଥିବା ସୂଚନା ମିଳିଛି । ପାର୍ଟିକୁ କେଉଁମାନେ ଆସିଥିଲେ? କେଉଁ କ୍ୟାମେରାରେ ଭିଡିଓ ରେକର୍ଡ ହୋଇଥିଲା? କିଛି ନିମନ୍ତ୍ରଣ ପତ୍ର ପଠାଯାଇଥିଲା କି? ଏହି ତମାମ ପ୍ରସଙ୍ଗର ତଥ୍ୟ ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ ନୋଟିସରେ କୁହାଯାଇଛି ।