କଂଟାବାଞ୍ଜି ଅଂଚଳରୁ ୨୫ ଦାଦନ ଶ୍ରମିକ ଉଦ୍ଧାର, ଗାଡି ସହିତ ୨ ଦଲାଲ ଗିରଫ

କଂଟାବାଞ୍ଜି : ରାଜ୍ୟରେ ଦିନକୁ ଦିନ ଦାଦନ ଚୋରା ଚାଲାଣ ବଢି ବଢି ଚାଲିଛି । ପୋଲିସ ଏହାକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଚାଲାଣକାରୀ ସର୍ଦ୍ଦାର କିମ୍ବା ଦଲାଲ ମାନେ ବିଭିନ୍ନ ଉପାୟରେ ଦାଦନ ଶ୍ରମିକମାନଙ୍କୁ ବେଧଡକ ଅନ୍ୟତ୍ର ପଠାଉଛନ୍ତି । ଏହିକ୍ରମରେ ୨୫ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ରବିବାର ରାତିରେ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ପୁରୁଷ ରହିଥିବାବେଳେ ୧୩ ମହିଳା ଓ ୧୧ ଜଣ ଶିଶୁଥିବା ଜଣାପଡିଛି। ଏହାସହିତ ପୁଲିସ ୨ ଜଣ ଦଲାଲକୁ ମଧ୍ୟ ଗିରଫ କରିଛି।

ଖବର ଅନୁଯାୟୀ, କଲାହାଣ୍ଡି ଜିଲା ନର୍ଲାରୁ ଆସୁଥିବା ୨ଟି ଟାଟାମେଜିକ ଗାଡି- ଗାଡି ନଂ ଓ.ଆର.୮ ଏଚ ୦୨୭୨ ଏବଂ ଓ.ଡି. ୦୮ ସି. ୧୩୫୬କୁ କଣ୍ଟାବାଞ୍ଜି ପୋଲିସ ଅଟକାଇଥିଲା । ଗାଡ଼ିଗୁଡ଼ିକୁ ଯାଂଚ କଲାପରେ ଏହି ଦାଦନ ଶ୍ରମିକ ନର୍ଲା ଥାନା ଅନ୍ତର୍ଗତ ପାଜିପାଲି ଗ୍ରାମର ବୋଲି ଜଣାପଡିଥିଲା । ପୋଲିସ ସୂଚନା ଅନୁଯାୟୀ, ଏମାନଙ୍କୁ କଂଟାବାଞ୍ଜି ଅଣାଯାଇ ଦାଦନ ସର୍ଦ୍ଦାରଙ୍କୁ ଭେଟାଇ ମୂଲ ଚାଲ ପରେ ରାଜ୍ୟ ବାହାରକୁ ଇଟା ଭାଟିରେ କାମ କରିବାକୁ ଚାଲାଣ କରାଯାଇଥାନ୍ତା।