ବିଧବା ମହିଳାଙ୍କ ପାଖରେ ହାର ମାନିଛି ସରକାରଙ୍କ ସବୁ ଯୋଜନା

ନା ଘର, ବିଧବା ଭତା ନା ଅଛି ରାସନ ସବୁ ତାଙ୍କ ପାଇଁ ସାତ ସପନ

ବୌଦ୍ଧ,୨୭/୫ : ରାଜ୍ୟ ସରକାର ହେଉ ବା କେନ୍ଦ୍ର ସରକାର ଗରିବ ଜନସାଧାରଣଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ଆଣୁଛନ୍ତି । ନିଜକୁ ସ୍ଵଛ ନିର୍ମଳ ସରକାର ବୋଲି କହି ବାହାରେ ଡିଣ୍ଡିମ ପିଟୁଛନ୍ତି । ପ୍ରକୃତରେ ଏହି ଦୃଶ୍ୟକୁ ଦେଖିଲେ ଜଣାପଡୁଛି ଯେ ସରକାରଙ୍କ ଏଭଳି ଜନ କଲ୍ୟାଣ ଯୋଜନାଗୁଡିକ କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତଗର୍ତ ବାଁଉସୁଣି (ଝାରକଟା) ଗ୍ରାମର ବିଧବା ମହିଳା ପୁଣ୍ୟ ବସ୍ତିଆଙ୍କୁ ଏପର୍ଯ୍ୟନ୍ତ କୋୖଣସି ସରକାରୀ ସହାୟତା ପହଁଚି ପାରି ନାହିଁ ।ଫଳରେ ବର୍ତ୍ତମାନ ୨ଟି ଝିଅ ଗୋଟିଏ ପୁଅକୁ ନେଇ ଦୁଃଖ ମୂଲ କରି କଷ୍ଟେ ମଷ୍ଟେ ପରିବାର ପ୍ରତିପୋଷଣ କରୁଥିବା ବେଳେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି । ସ୍ୱାମୀ କୁମାର ବସ୍ତିଆ ୯ ମାସ ତଳେ ରୋଗରେ ପୀଡିତ ମୃତ୍ୟୁ ବରଣ କଲାପରେ ପରିବାର ବୋଝ ପୁଣ୍ୟଙ୍କ ଉପରେ ମାଡି ବସିଲା । ଏପରିକି ବିଧବା ଭତ୍ତା ମଧ୍ୟ ମିଳିପାରିଲା ନାହିଁ । ରାସନ କାର୍ଡ ହେଉକି କି ବିଧବା ଭତ୍ତା ହେଉ ଏପରିକି ରହିବା ପାଇଁ ଘର ଖଣ୍ଡିଏ ପାଇଁ ସମସ୍ତଙ୍କୁ ଗୁହାରି କରିଛନ୍ତି । କିନ୍ତୁ ସରକାରୀ କର୍ମଚାରୀ ହେଉ କିମ୍ବା ଲୋକ ପ୍ରତିନିଧି ଦୁଃଖ ଶୁଣିବା ପାଇଁ ସମୟ ନାହିଁ । ଶେଷରେ ନିଜକୁ ନିଶହାୟ ମନେ କରି ୪ ପ୍ରାଣୀ କୁଟୁମ୍ବକୁ ନେଇ ଅଭାବ ଭିତରେ ପଡି ରହିଥିବା ନେଇ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ବିଧବା ମହିଳା ପୁଣ୍ୟ ବସ୍ତିଆଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସମାଜ ସେବୀ ସୁଶୀଳ ପାତ୍ର ଦାବି କରିଛନ୍ତି ।